ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
  • ୨୫ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ
  • ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଚାଲିବ ଏହି ପ୍ରଶିକ୍ଷଣ
  • ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ଲୋକସେବା ଭବନର ୪୦ ଜଣ ଅଧିକାରୀ ଓ କର୍ମଚାରୀ

ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ତମସାରାଣୀ ଦାସ ମହାପାତ୍ର ଯୋଗ ଦେଇଥିଲେ।

ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଲୋକସେବା ଭବନର ୧୫ଟି ବିଭାଗର ୪୦ ଜଣ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନେରଞ୍ଜନ ପାଣିଗ୍ରାହୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକସେବା ଭବନର ଅଧିକାରୀମାନଙ୍କୁ ସ୍ଵାଗତ କରିଥିଲେ। ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ସମସ୍ତ ଅତିଥି ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ଆହ୍ଵାନ ଦେଇଥିଲେ।

‘‘ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନର ମାଧ୍ୟମ ହେଉଛି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଓଡ଼ିଆରେ ନଥି ଉପସ୍ଥାପନ କରିବାରେ ଯଦି କିଛି ସମସ୍ୟା ଦେଖାଦିଏ ତେବେ ତାହା ପରବର୍ତ୍ତୀ ସମୟରେ ସୁଧାର ଆଣିବାରେ ସହାୟକ ହେବ’’, କହିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ତମସାରାଣୀ ଦାସ ମହାପାତ୍ର।

ବିଶିଷ୍ଟ ଶିକ୍ଷାବିତ୍‌ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ସୁରେନ୍ଦ୍ର କୁମାର ଦାଶ, ଡକ୍ଟର ହରପ୍ରସାଦ ମିଶ୍ର, ଡକ୍ଟର ସିତାଂଶୁ କୁମାର ଦାସ ଓ ଡକ୍ଟର ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ସୂଚନା ପ୍ରଦାନ କରିବେ।

ଏହି ଅବସରରେ ଭାଷା ପ୍ରତିଷ୍ଠାନ ତରଫରୁ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ପାଠ୍ୟ ଖସଡ଼ା ପୁସ୍ତିକା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ୟ ବିଭାଗ ଏବଂ ଜିଲ୍ଲା ସ୍ତରର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହେବ।

Comment