ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଇଲା ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ୩ ଜଣ ବନ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼, ଖୁଣ୍ଟୁଣୀ ଥାନା ଅଧୀନ ମହାଲକ୍ଷ୍ମୀପୁର ଗାଁରେ।

ବେଆଇନ କୋଇଲା ଚାଲାଣ ହେଉଥିବାର ଖବର ପାଇ ସୋମବାର ଦିନ ଖୁଣ୍ଟୁଣୀ ବନବିଭାଗ କର୍ମଚାରୀ ମହାଲକ୍ଷ୍ମୀପୁରରେ ରେଡ୍‌ କରିଥିଲେ।

ଚଢ଼ଉ କରି ବନ ବିଭାଗ କର୍ମଚାରୀମାନେ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର କୋଇଲା ଜବତ କରିଥିଲେ। କୋଇଲା ଜବତ କରିବା ପରେ ଦୁଇ ଜଣ କୋଇଲା ମାଫିଆ ମାରଣାସ୍ତ୍ର ଧରି ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିସହିତ ବନ ବିଭାଗ କର୍ମଚାରୀଙ୍କ ଦୁଇଟି ଗାଡ଼କୁ ଭାଙ୍ଗି ଦେଇଥିଲେ।

କୋଇଲା ମାଫିଆଙ୍କ ଆକ୍ରମଣରେ ନିରସ୍ତ୍ର କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଆକ୍ରମଣରେ ୨ଜଣ ମହିଳା ବନ କର୍ମଚାରୀଙ୍କ ସମେତ ମୋଟ ୩ଜଣ ଆହତ ହୋଇଥିଲେ। ଘଟଣାକୁ ନେଇ ଖୁଣ୍ଟୁଣୀ ଥାନାରେ ବନାଞ୍ଚଳ ଅଧିକାରୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here