ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କଟକ ଆଠଗଡ ବନଖଣ୍ଡ ଅଧିନସ୍ଥ ୫ଟି ରେଞ୍ଜରେ ଶୁକ୍ରବାର ପକ୍ଷୀ ଗଣନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଗତବର୍ଷ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୭ ବର୍ଷରେ ଏଠାକୁ ମୋଟ୍ ୧୯ହଜାର ୪୭୬ ଏବଂ ୨୦୧୮ରେ ମୋଟ୍ ୧୬ହଜାର ୬୭୨ ପକ୍ଷୀ ଆସିଥିଲେ। କିନ୍ତୁ ଏଥର ପୂର୍ବ ଦୁଇ ବର୍ଷର ରେକର୍ଡ କାଟିଛି। ଆଠଗଡ ବନଖଣ୍ଡ ଅଧିନକୁ ଏଥର ୨୧ହଜାର ୮ଶହ ୨୪ ପକ୍ଷୀ ଆସିଥିବା ଜଣାପଡିଛି।

ପ୍ରାୟ ୯୦ ପ୍ରଜାତିର ଘରୋଇ ଏବଂ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି କଟକକୁ। ଅନୁକୂଳ ପରିବେଶ, ବାସ ଉପଯୋଗୀ ଅଞ୍ଚଳ ଏବଂ ଉନ୍ନତ ଜଳସ୍ତର ଯୋଗୁଁ ପକ୍ଷୀଙ୍କ ଆଗମନ ହୋଇଥିବା ଜଣାପଡିଛି।

ଆଜି ଭୋରରୁ ଆଠଗଡ ବନଖଣ୍ଡ ଅଧିନସ୍ଥ ୫ଟି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ମୋଟ୍ ୫୮ଟି ପଏଣ୍ଟ କରାଯାଇଥିଲା। ଅଂଶୁପା, ମହାନଦୀ, ମଧୁସୂଦନ ସେତୁ, କନ୍ଦରପୁର, ଓସ୍ତିଆ, ଖୁଣ୍ଟୁଣୀ ରେଞ୍ଜ୍, ବଡମ୍ୱା, ନରସିଂପୁର ପୂର୍ବ ଓ ନରସିଂପୁର ପଶ୍ଚିମ ଭଳି ଅଞ୍ଚଳରେ ଗଣନା କରାଯାଇଥିଲା।

ବନ ବିଭାଗର ସୂଚନା ଅନୁଯାୟୀ ଆଠଗଡ ବନଖଣ୍ଡରେ ୬ହଜାର ୨୨୩, ଖୁଣ୍ଟୁଣୀ ରେଞ୍ଜରେ ୫ହଜାର ୭୪୧, ନରସିଂପୁର ପୂର୍ବରେ ୨ହାଜର ୫୦୦ ଓ ନରସିଂପୁର ପଶ୍ଚିମରେ ୨ ହଜାର ୨୦, ବଡମ୍ବାରେ ୫ ହଜାର ୩୪୦ଟି ପକ୍ଷୀ ରହିଛନ୍ତି। କେବଳ ଅଂଶୁପାରେ ୨ ହାଜର ୪ଟି ପକ୍ଷୀ ଥିବା ବନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ପକ୍ଷୀମାନଙ୍କ ମଧ୍ୟରେ ପାଣିକୁଆ, ଗେଣ୍ଡାଳିଆ, ମାଛରଙ୍କା, ବଡ଼ବଗ, ସାନ ବଗ, ହଂସରାଳୀ, ଚକୁଆ ଚକେଇ, ଡାହୁକ, ଚା ଚଢେଇ ପ୍ରଭୃତି ୫୦ରୁ ଅଧିକ ପ୍ରଜାତି ରହିଥିବା ଜଣାପଡିଛି।

ପାଗରେ ପରିବର୍ତ୍ତନ ଯୋଗୁଁ ପକ୍ଷୀଗଣନା ବନ୍ଦ କରାଯାଇଥିଲା। ବର୍ଷା ପକାଇବା ସହ ଜୋରରେ ପବନ ବହିବାରୁ ପକ୍ଷୀ ଗଣନାରେ ବାଧା ଉପୁଜିଥିଲା। ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା।

ଏହି ପକ୍ଷୀଗଣନାରେ ଆଠଗଡ଼ ଆର୍‌ଓ ଐଶା ଅକ୍ତରୀ ନିଶା, ଆଠଗଡ଼ ଏଫ୍ଆର୍ ଦିବ୍ୟସିଂଘ ପରିଡ଼ା, ତିଗିରିଆ ଏଫ୍ଆର୍ ରାକେଶ କୁମାର ପ୍ରଧାନ, ରାଜନଗର ଏଫ୍ଆର୍ ପ୍ରଶାନ୍ତ ପରିଡ଼ା, ମୁଣ୍ଡଳି ଏଫ୍ଆର୍ ବିପିନ ସେଠୀ, ଗାର୍ଡ ତନ୍ମୟ ବେହେରା, ମଙ୍ଗଳ ବବାଙ୍ଗ, ମଧୁସୂଦନ ସାହୁ, ବରେନ୍ଦ୍ର ବେହେରା, ସୋନାଲି ନାଥ, ରୂପାଲି ପୃଷ୍ଟି, ସୋନାଲି ପୃଷ୍ଟି, ଲୋପାମୁଦ୍ରା ମଲ୍ଲିକ, ପୂର୍ବତନ ଅବୈତନିକ ବନପ୍ରାଣୀ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ଦାସ, କଟକ ଜିଲ୍ଲା ଅବୈତନିକ ବନପ୍ରାଣୀ ତତ୍ତ୍ୱବଧାରକ ଅଶୋକ ପଟ୍ଟନାୟକ, ଖୁଣ୍ଟୁଣୀ ରେଞ୍ଜର ମାଗୁଣୀ ଚରଣ ବେହେରାଙ୍କ ସମେତ ବନ୍ୟଜନ୍ତୁ ବିଶେଷଜ୍ଞ ନିୟୋଜିତ ଥିଲେ।

Comment