ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପରେ ନିର୍ବାଚନ ଅସୁଛି ଯାଉଛି। ହେଲେ କଂଗ୍ରେସର ଅବସ୍ଥା ସୁଧୁରୁନି।

ଓଡ଼ିଶାରେ ଶେଷ ହୋଇଗଲା କଂଗ୍ରେସର ଯୁଗ। ଏହି ସଙ୍କେତ ଆଜି ମିଳିଛି ବିଜେପୁର ଉପନିର୍ବାଚନ ଫଳାଫଳରୁ। ଗତ ସାଧାରଣ ନିର୍ବାଚନ, ପାଟକୁରା ନିର୍ବାଚନରେ ସ୍ଥିତି ହରାଇଥିବା କଂଗ୍ରେସ ଏଥର ବିଜେପୁର ଉପ-ନିର୍ବାଚନରେ ବି ମାଟି କାମୁଡ଼ିଛି। ଓଡ଼ିଶାରୁ କଂଗ୍ରେସର ଯୁଗ ଶେଷ ହୋଇଗଲା ବୋଲି ବିଜେପୁର ଫଳାଫଳ ସଙ୍କେତ ଦେଇଛି।

ଗଡ଼ ଜଗି ପାରୁନି କଂଗ୍ରେସ

ବିଜେପୁର ଥିଲା କଂଗ୍ରେସ ଗଡ଼। ୨୦୦୪ରୁ ଏହି ଆସନ କଂଗ୍ରେସ ହାତରେ ଥିଲା। ସୁବଳ ସାହୁ ଲଗାତର ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସାରା ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଥିବା ବେଳେ ସୁବଳ ନିର୍ବାଚନ ପରେ ନିର୍ବାଚନ ଜିତି କଂଗ୍ରେସର ସମ୍ମାନ ରକ୍ଷା କରିଥିଲେ। ହେଲେ ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସର ବିଜେପୁର ଗଡ଼ ଭାଙ୍ଗି ଯାଇଥିଲା।

ସୁବଳଙ୍କ ପରିବାର ବିଜେଡିରେ ଯୋଗ ଦେଇଥିଲେ। ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ୨୦୧୮ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିଥିଲା। ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେବେଠାରୁ କଂଗ୍ରେସ ବିଜେପୁରରେ ସ୍ଥିତି ହରାଇଛି। ଗତ ଅଢ଼େଇ ବର୍ଷ ଭିତରେ ତିନି ତିନିଟି ନିର୍ବାଚନ ବିଜେପୁରରେ ହୋଇଥିଲେ ମଧ୍ୟ କଂଗ୍ରେସ ତାର ମାନ ରକ୍ଷା କରିପାରୁନି।

ଅମାନତ ପରାଜୟ

୨୦୧୮ରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ପ୍ରଣୟ ଅମାନତ ହାରିଥିଲେ। ଏହାପରେ ପ୍ରଣୟ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ରେ କଂଗ୍ରେସ ରିପୁନାଥ ସେଠ୍‌ଙ୍କୁ ପ୍ରାର୍ଥୀ କରିଥିଲା। ରିପୁନାଥ ମାତ୍ର ୧୪ ହଜାରରୁ ଅଧିକ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର କିନ୍ତୁ କଂଗ୍ରେସ ଆଗୁଆ ପାଗ ଭଡ଼ିଥିଲା।

ବିଜେଡି ଏବଂ ବିଜେପି ତୁଳନାରେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିଲା। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରି କଂଗ୍ରେସ କମ୍‌ ବ୍ୟାକ୍‌ ସ୍ଲୋଗାନ ଦେଇଥିଲା। ହେଲେ କଂଗ୍ରେସ ତାର ଦବ୍‌ଦବା ବଜାୟ ରଖିବ କ’ଣ ୫ ହଜାର ୮୭୧ ଭୋଟ ପାଇ ଅମାନତ ହରାଇଛି।

ଫେରୁନି କଂଗ୍ରେସ ଯୁଗ

କଂଗ୍ରେସ ଗତ ୧୯ ବର୍ଷ ହେଲା କ୍ଷମତାରେ ନାହିଁ। ୧୯ ବର୍ଷ ହେଲା ଏହି ଜାତୀୟ ଦଳ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ।

୨୦୧୪ ନିର୍ବାଚନରେ ୧୬ ବିଧାୟକ ପାଇଥିବା କଂଗ୍ରେସ ୨୦୧୯ରେ ୯ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ବିଜେପି ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଛି।  ୧୯ ବର୍ଷ ଭିତରେ ବିଜେଡିକୁ ଟକ୍କର ଦେବା ପାଇଁ ସବୁବେଳେ କମର କଷୁଥିବା କଂଗ୍ରେସ ଧିରେ ଧିରେ ଓଡ଼ିଶାରୁ ହଜି ଯିବା ଭଳି ମନେହେଉଛି।

‘‘ବିଜେପୁର ପରାଜୟ ପାଇଁ ଆମେ ସମସ୍ତେ ଦାୟୀ। ଏହା ଆମ ପାଇଁ ଏକ ଶିକ୍ଷା। କଂଗ୍ରେସ କର୍ମୀଙ୍କୁ ଏକାଠି ହେବାର ବେଳ ଆସିଛି। ବିଜେପୁରବାସୀଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ। ନିର୍ବାଚନ ଲଢ଼ିବା ଆଗରୁ ହିଁ ଆମେ ଜାଣିଥିଲୁ ଯେ ଏଠି ବିଜେଡି ଜିତିବ। କାରଣ ଯେଉଁ ଦଳ ଶାସନରେ ଥାଏ ସେହି ଦଳ ସପକ୍ଷରେ ହିଁ ଉପନିର୍ବାଚନର ରାୟ ଆସିଥାଏ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆମେ ଏକ ରାଜନୀତିକ ଦଳ ଭାବେ ପ୍ରାର୍ଥୀ ଦେଇଥିଲୁ। ଏହା ଆମ ପାଇଁ ବଡ଼ ଶିକ୍ଷା। ଆଗକୁ କେମିତି ବଢ଼ିବୁ ସେନେଇ ତର୍ଜମା କରିବୁ’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ଉଠିବ ତ?

ନିରଞ୍ଜନ ପଟ୍ଟନାୟକ ଯେତେବେଳେ ପିସିସି ସଭାପତି ହେଲେ ସେତେବେଳେ ସେ ସ୍ଲୋଗାନ ଦେଇଥିଲେ ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା’। ହେଲେ ଏହି ସ୍ଲୋଗାନର କିଛି ଯଥାର୍ଥତା ନଥିବା ବିଭିନ୍ନ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। କଂଗ୍ରେସ ଉଠିବା ତ ଦୂରର କଥା ନିଜ ଦୁର୍ଗ ରକ୍ଷା କରିବାରେ ବିଫଳ ହେଉଛି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଜଣକ ପରେ ଜଣେ ନେତା କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ଅଧିକାଂଶ ସ୍ଥାନରେ ନୂଆ ମୁହଁ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ହେଲେ ସଫଳ ହୋଇ ନଥିଲା। ଏଣୁ କଂଗ୍ରେସ କେବେ ଉଠିବ ତାକୁ ହିଁ ପୁରୁଖା କର୍ମୀମାନେ ଅପେକ୍ଷା କରି ରହିଛନ୍ତି।

Comment