ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅଚଳାବସ୍ଥା ଉପୁଜିଥିବା ଜାଣି ଗତକାଲି ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ ସେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପୋଲିସ ସୁରକ୍ଷା ନଦେଇ ପାରିଲେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ନେଇ ହାଇକୋର୍ଟ ବାର୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ବୁଧବାର ହାଇକୋର୍ଟ ବାର୍ ଆସୋସିଏସନ୍ ଆକ୍ସନ କମିଟି, ଏକଜିକ୍ୟୁଟିଭ୍ କମିଟି ଏବଂ ଅନ୍ୟମାନଙ୍କୁ ନେଇ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ପୌରୋହିତ୍ୟରେ ଜରୁରି ବୈଠକ ବସିଥିଲା। ହାଇକୋର୍ଟ ବାର୍ ପାଇଁ ଯେଉଁ ଭୁଲ୍ ବୁଝାମଣା ଜନିତ ପରିସ୍ଥିତି ସୃଷ୍ଟି ହୋଇଛି ଏଥିପାଇଁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ଦାୟୀ କରାଯାଇଥିଲା।

ଶ୍ରୀ ମିଶ୍ର ହାଇକୋର୍ଟ ବାର୍‌ର ଆଜୀବନ ସଦସ୍ୟ ଥିବା ବେଳେ ତାଙ୍କୁ ପ୍ରାଥମିକ ସଭ୍ୟ ପଦବୀରୁ କାହିଁକି ବହିଷ୍କାର କରାନଯିବ ସେଥିପାଇଁ ନୋଟିସ୍ ଜାରି କରାଯାଇଥିଲା। ଏଥିସହ ସୁପ୍ରିମକୋର୍ଟରେ ସେ ମିଥ୍ୟା ତଥ୍ୟ ଦେଇଥିବାରୁ ଏ ସମ୍ପର୍କରେ ବାର୍‌ କାଉନସିଲ୍‌କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ବିଭିନ୍ନ ମାମଲା ଲଢୁଛନ୍ତି। ତେଣୁ ତାଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଆସନ୍ତାକାଲି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଥିବା ବେଳେ ହାଇକୋର୍ଟ ବାର୍ ଏଥିରେ ପକ୍ଷଭୁକ୍ତ ହେବାକୁ ମନା କରିଦେଇଛି। ବାର୍‌ର ଏକ ପ୍ରତିନିଧିମଣ୍ଡଳୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟିମ୍ କଲେଜିୟମ୍ ଉଚ୍ଛେଦ ନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବି ସଂକ୍ରାନ୍ତରେ ଜଣାଇବେ ବୋଲି ବାର୍ ସମ୍ପାଦକ ଶ୍ରୀ ଦାସ କହିଛନ୍ତି।

Comment