ଓଡ଼ିଶାଲାଇଭ୍ ବ୍ୟୁରୋ

 ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠ ପରିସରରେ ରହିବ ଶାଳଗ୍ରାମ।

ଭୁବନେଶ୍ୱରରେ ପହଞ୍ଚିଲା ୭ ହଜାରରୁ ଅଧିକ ଦିବ୍ୟ ଶାଳଗ୍ରାମ। କାଠମାଣ୍ଡୁର ଗଣ୍ଡକି ନଦୀ ଓ ଦାମୋଦର କୁଣ୍ଡ ଅଞ୍ଚଳରୁ ଏହି ଶାଳଗ୍ରାମ ସଂଗ୍ରହ କରାଯାଇ ଓଡ଼ିଶା ଅଣାଯାଇଛି। ଦିବ୍ୟାନନ୍ଦ ଗୁରୁ ମହାରାଜଙ୍କ ନେତୃତ୍ୱରେ ଏହି ଶାଳଗ୍ରାମ ଆସିଛି।

ଏହି ଶାଳଗ୍ରାମକୁ ସାଧାରଣ ଲୋକଙ୍କ ପୂଜା ଓ ଦର୍ଶନ ପାଇଁ ଭୁବନେଶ୍ୱର ଉପକଣ୍ଠର ନୂଆଗାଁରେ ଥିବା ଆଧ୍ୟାତ୍ମିକ ବିଦ୍ୟାପୀଠରେ ରଖାଯିବ। ହିନ୍ଦୁ ଧର୍ମାବଲମ୍ବୀମାନେ ଶାଳଗ୍ରାମକୁ ବିଷ୍ଣୁ ଭବବାନଙ୍କ ସାକ୍ଷାତ ରୂପ ବୋଲି ବିଶ୍ୱାସ କରିଥାନ୍ତି। ନୂଆଗାଁ ଆଶ୍ରମରେ ଶାଳଗ୍ରାମ ପ୍ରତିଷ୍ଠା ହେବା ପରେ ଭକ୍ତମାନେ ଗୋଟିଏ ସ୍ଥାନରେ ହଜାର ହଜାର ଶାଳଗ୍ରାମ ପୂଜା ଓ ଦର୍ଶନ କରିବାର ନିଆରା ଅନୁଭୂତି ପାଇବେ।

ଶାଳଗ୍ରାମ ଆଣିବା ପାଇଁ ଦିବ୍ୟାନନ୍ଦ ଗୁରୁ ମହାରାଜ ଅନ୍ୟ ସାଧୁମାନଙ୍କୁ ଧରି ଅକ୍ଟୋବର ୧୪ରେ ପୁରୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲେ। ଗଣ୍ଡକି ନଦୀ ଓ ଦାମୋଦରକୁଣ୍ଡ ଅଞ୍ଚଳରୁ ତିନି ଚାରି ବର୍ଷ ଧରି ସଂଗୃହିତ ହୋଇ ରହିଥିବା ପ୍ରାୟ ୭୧୦୦ ଶାଳଗ୍ରାମକୁ ସାଙ୍ଗରେ ଧରି ଓଡ଼ିଶା ଆସିଥିଲେ।

ଚାରି ଦିନର ବସ୍‌ ଯାତ୍ରା ପରେ ଶାଳଗ୍ରାମ ଧରି ସାଧୁ ମହାରାଜମାନେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଶାଳଗ୍ରାମ ଭୁବନେଶ୍ୱର ଆସିବା ପୂର୍ବରୁ ଯାଜପୁର ଜିଲ୍ଲା ଛତିଆର ଉଦାଶ ଆଶ୍ରମରେ ଏହାକୁ କିଛି ସମୟ ପାଇଁ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥିଲ।

ଛତିଆରୁ ଏହି ଶାଳାଗ୍ରାମକୁ ଶେଭାଯାତ୍ରାରେ ନୂଆଗାଁ ଅଭିମୁଖେ ଅଣା ଯାଇଥିଲା। ନୂଆଗାଁ ଆଶ୍ରମରେ ଶାଳଗ୍ରାମକୁ ରଖାଯିବା ସହିତ ସନ୍ଧ୍ୟା ଆଳତି କରାଯାଇଥିଲା। ପ୍ରଥମଥର ଲାଗି କୌଣସି ଏକ ମନ୍ଦିରରେ ଏତେ ପରିମାଣର ଶାଳଗ୍ରାମ ଏକାଠି ସ୍ଥାପନ ହେବାକୁ ଯାଉଛି ବୋଲି କହିଛନ୍ତି ଧର୍ମରାଜ ବରାଲ୍ କହିଛନ୍ତି।

ନୂଆଗାଁ ଆଧ୍ୟାତ୍ମିକ ବିଦ୍ୟାପୀଠରେ ନେପାଳରୁ ଶାଳଗ୍ରାମ ଆଣି ପ୍ରତିଷ୍ଠା କରିବା ପାଇଁ ବହୁ ପୂର୍ବରୁ ଆଶ୍ରମର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଜନା କରିଥିଲେ। ତେବେ ହଜାର ହଜାର ସଂଖ୍ୟାରେ ଶାଳଗ୍ରାମ ସଂଗ୍ରହ କରିବା ସମୟ ସାପେକ୍ଷ ହୋଇଥିବାରୁ ଏହାକୁ ଆଣିବା ଏବଂ ସ୍ଥାପନ କରିବା କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ୭ ହଜାରରୁ ଅଧିକ ଶାଳଗ୍ରାମ ଆସି ଆଶ୍ରମ ପରିସରରେ ପହଞ୍ଚିବା ପରେ ଏଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ହିନ୍ଦୁ ଧର୍ମାବଲମ୍ବୀମାନେ ଶାଳଗ୍ରାମରେ ବିଷ୍ଣୁ ଭଗବାନଙ୍କ ସାକ୍ଷାତ ରୂପକୁ ଦେଖିଥାନ୍ତି। ସେହି ବିଶ୍ୱାସରେ କାହିଁ କେଉଁ କାଳରୁ ଲୋକମାନେ ଘରେ ଶାଳଗ୍ରାମ ରଖି ପୂଜା କରିବା ସହିତ ମନ୍ଦିରଗୁଡ଼ିକରେ ମଧ୍ୟ ଏହାକୁ ସ୍ଥାପନ କରିଥାନ୍ତି।

୨୬ ତାରିଖରେ ଭାରତର ସର୍ବପ୍ରଥମ ଏବଂ ସର୍ବବୃହତ ଦିବ୍ୟ ଶାଳଗ୍ରାମ ସ୍ଥାପନ ଓ ମୁକ୍ତ ଦର୍ଶନ ଉତ୍ସବ ନୂଆଗାଁର ଆଧ୍ୟାତ୍ମିକ ବିଦ୍ୟାପୀଠରେ ଅନୁଷ୍ଠିତ ହେବ। ଏଥିପାଇଁ ଆଶ୍ରମ ପରିସରରେ ପୂଜା ପାଠ ସାଙ୍ଗକୁ ଭଜନ କୀର୍ତ୍ତନର ଆୟୋଜନ କରାଯାଇଛି।

ଶାଳଗ୍ରାମରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ଚିହ୍ନ ସବୁ ରହିଥିବାରୁ ହିନ୍ଦୁ ଧର୍ମାବଲମ୍ବୀମାନେ ଏଥିରେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିଥାନ୍ତି। ଶାଳଗ୍ରାମଗୁଡିକର ଚିହ୍ନର କ୍ରମକୁ ଦେଖି ଏହାକୁ ୨୪ଟି ନାମରେ ନାମିତ କରାଯାଇଥାଏ। ସେଥି ମଧ୍ୟରୁ କେତୋଟି ନାମ ହେଉଛି କେଶବ, ନାରାୟଣ, ମାଧବ,ଗୋବିନ୍ଦ, ବିଷ୍ଣୁ,ମଧୁସୂଦନ, ତ୍ରିବିକ୍ରମ, ବାମନ, ଶ୍ରୀଧର, ହୃଷିକେଶ, ପଦ୍ମନାଭ, ଦାମୋଦର, ଶଙ୍କର୍ଷଣ ଇତ୍ୟାଦି।

ପୁରୀ ଜଗନ୍ନାଥ ମନ୍ଦିରରେ ଏକ ବୃହତ ଶାଳଗ୍ରାମ ସ୍ଥାନ ପାଇଥିବା ବେଳେ ଭାରତ ବାହାରେ ସ୍କଟଲାଣ୍ଡରେ ଏକ ଇସ୍କନ ମନ୍ଦିରରେ ବହୁ ସଂଖ୍ୟାରେ ଦିବ୍ୟ ଶାଳଗ୍ରାମ ସ୍ଥାପନ କରାଯାଇଛି।

Comment