ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସିଗଲା ଦୀପାବଳି। ଘର ସଫା ଠାରୁ ଆରମ୍ଭ କରି ଘରସଜ୍ଜା ଯାଏଁ, ଘରେ ଘରେ ଚାଲିଛି ପ୍ରସ୍ତୁତି। କିନ୍ତୁ ଦୀପାବଳିରେ ମୁଖ୍ୟ ଆକର୍ଷଣ ହେଲା ବାଣ। ଦୀପାବଳିରେ ବାଣର ଖୁବ୍ ମଜା ନିଅନ୍ତି ସମସ୍ତେ।

କିନ୍ତୁ ବାଣରୁ ନିର୍ଗତ ପ୍ରଦୂଷଣ ଧୂଆଁ ଆଉ ଧୂଳି ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇପାରେ, ତାହା ଜାଣିଛନ୍ତି କି?

ବାଣରେ ଥିବା ହାନିକାରଣ ରସାୟନ ବାୟୁ ପ୍ରଦୂଷଣ କରିବା ସହିତ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ମୁଖ୍ୟତଃ ଆସ୍ଥାମା ବା ଶ୍ୱାସ ରୋଗୀଙ୍କ ପାଇଁ ଏହା ପ୍ରାଣଘାତକ।

ବାଣରେ ଗନ୍‌ ପାଉଡର୍‌ ବ୍ୟବହାର କରାଯାଏ। ତେଣୁକରି ବାଣ ଫୁଟାଇଲେ ବାୟୁରେ ସଲ୍‌ଫର୍‌ ଡାଇଅକ୍ସାଇଡ୍ ବ୍ୟାପି ବାୟୁ ପ୍ରଦୂଷିତ ହୁଏ । ଏହି ପ୍ରଦୂଷିତ ବାୟୁ ଶ୍ୱାସ ରୋଗୀଙ୍କ ପାଇଁ ବିଷାକ୍ତ ହୋଇଯାଏ। ନିଶ୍ୱାସ ନେବାରେ ଅସୁବିଧା ହୁଏ।

କିପରି ରଖିବେ ନିଜକୁ ସୁରକ୍ଷିତ

– ଦୀପାବଳୀ ପୂର୍ବରୁ ଘର ସଫା କରାଯାଏ। ରଙ୍ଗ ଦିଆଯାଇ ସାଜସଜ୍ଜା କରାଯାଏ। ଘର ସଫା ବେଳେ ଉଡ଼ୁଥିବା ଧୂଳି ଆଉ ରଙ୍ଗର ବାସ୍ନା ଯୋଗଁ ଶ୍ବାସ ରୋଗୀମାନେ ଠିକ୍ ଭାବେ ନିଶ୍ୱାସ ନେଇପାରନ୍ତି ନାହିଁ। ଯଥା ସମ୍ଭବ ଧୂଳି ହେଉଥିବା ଜାଗାରୁ ଦୂରେଇ ରୁହନ୍ତୁ। ଅଥବା ମୁହଁରେ ମାସ୍କ ବ୍ୟବହାର କରି କାମ କରନ୍ତୁ।

– ସନ୍ଧ୍ୟାରେ ବାଣ ଫୁଟୁଥିବା ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ତେବେ ମୁହଁରେ ମାସ୍କ ପିନ୍ଧନ୍ତୁ।

– ମନ ଅଶାନ୍ତ ଏବଂ ବ୍ୟାକୁଳ ହେଲେ ନିଶ୍ୱାସ ନେବାରେ ଅସୁବିଧା ହୁଏ। ତେଣୁକରି ସକାଳର କଅଁଳିଆ ଖରାରେ ଯୋଗାସନ କିମ୍ବା ଯେକୌଣସି ବ୍ୟାୟାମ କରି ମନକୁ ଶାନ୍ତ ରଖନ୍ତୁ।

– ଅଧିକ ସମୟ ଖାଲି ପେଟରେ ରୁହନ୍ତୁ ନାହିଁ। ଭୋକ ହେଲେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଅତ୍ୟଧିକ ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ।

– ଦୀପାବଳି ପୂର୍ବରୁ ଡାକ୍ତରଙ୍କଠାରୁ ଆବଶ୍ୟକୀୟ ପରାମର୍ଶ ନିଅନ୍ତୁ। ସବୁବେଳେ ବ୍ୟବହାର କରୁଥିବା ଇହ୍ନେଲର୍ ନିଜ ପାଖରେ ରଖନ୍ତୁ।

Comment