ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟରୁ ଉଦ୍ଧାର ହୋଇଥିବା ଅମିତ ଖଜୁର କହିଲେ ସମୁଦ୍ର ମଧ୍ୟରେ ତାଙ୍କର ୧୩ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା।

ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା। ଏହା ମଧ୍ୟରେ ଦୁଇ ଦୁଇ ଥର ଘୂର୍ଣ୍ଣି ଝଡ଼ର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା। ଏହି ଯାତ୍ରାରେ ନିଜ ସାଥିକୁ ମଧ୍ୟ ହରାଇ ଥିଲେ ଅମିତ ଖୁଜର। ନିଜେ ମୃତ୍ୟୁ ମୁହଁରୁ ବଞ୍ଚି ଲାଗିଥିଲେ ଓଡ଼ିଶା ଉପକୂଳରେ। ତା ପରେ ବଖାଣି ଥିଲେ ତାଙ୍କର ଛାତିଥରା କାହାଣୀ।

ଆଣ୍ଡାମାନର ସହିଦ ଦ୍ଵୀପ ନିବାସୀ ଅମିତ ଖୁଜର ଓ ତାଙ୍କ ବନ୍ଧୁ ଦିବ୍ୟରଞ୍ଜନ ଦାସ ଅଗଷ୍ଟ ୨୮ ତାରିଖରେ ଏକ ବୋଟରେ ସମୁଦ୍ର ଯାତ୍ରା କରିଥିଲେ। ଲକ୍ଷ୍ୟ ଥିଲା ଗଭୀର ସମୁଦ୍ର ଭିତର ଫସି ଥିବା ଏକ ଜାହାଜକୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା।

ହେଲେ ବାଟରେ ତାଙ୍କୁ ଘୁର୍ଣ୍ଣିଝଡ଼ର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ତାଙ୍କ ବୋଟ ଆଣ୍ଡାମାନରୁ ବର୍ମା ଆଡ଼କୁ ଭାସିଯାଇଥିଲା। ସେଠାରେ ବର୍ମା ନୌବାହୀନି ବୋଟକୁ ଉଦ୍ଧାର କରି ଆଣ୍ଡାମାନ ଫେରିବାକୁ ତାଙ୍କୁ ୨୬୬ ଲିଟର ଡିଜେଲ ଦେଇଥିଲେ।

ଫେରିବା ବାଟରେ ପୁଣି ଥରେ ତାଙ୍କ ବୋଟ୍‌ ଘୂର୍ଣ୍ଣିଝଡ଼ର ସାମ୍ନା କରିଥିଲା। ଫଳରେ ବୋଟଟି ଦିଗହରା ହୋଇଯିବା ସହ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଥିଲା। ୭ଦିନ ଭୋକରେ ରହିବା ପରେ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ବୋଟରେ ଶବ ସହ ୧୩ଦିନ ଯାତ୍ରା କରିବା ପରେ ଶବ ପଚି ଦୁର୍ଗନ୍ଧ ହେବା ପରେ ଅମିତ ତାକୁ ସମୁଦ୍ରରେ ଭସାଇ ଦେଇଥିଲା।

ପରେ ବୋଟରୁ ଡିଜେଲ ମଧ୍ୟ ଶେଷ ହୋଇଯାଇଥିଲା। ତଥାପି ଭାଗ୍ୟକୁ ଆଦରି ସାହାସର ସହ ବୋଟରେ ରହିଥିଲା ଅମିତ। ଶେଷରେ ଅକ୍ଟୋବର ୨୫ରେ ବୋଟଟି ଭାସିକି ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲାଗିଥିଲା। ସେଠାକାର ସ୍ଥାନୀୟ ଲୋକ ବୋଟରୁ ଅମିତଙ୍କୁ ଉଦ୍ଧାର କରି ଖାଇବାକୁ ଦେଇଥିଲେ।

Comment