ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ଦୀପାବଳି ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପାଳନ ହୋଇଛି ପୟାଶ୍ରାଦ୍ଧ। ଏହି ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି। ଏହି ପୟାଶ୍ରାଦ୍ଧ ବେଳେ ବଡ଼ବଡୁଆ ଡକାଯିବାର ପରମ୍ପରା ମଧ୍ୟ ରହିଛି।

ପୁରୀ ବଡ଼ ଦେଉଳ ସମ୍ମୁଖରେ ଶ୍ରଦ୍ଧାଳୁମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ପାଳନ କରିଥିଲେ। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହଚରେ ପିଣ୍ଡଦାନ କରିଥାନ୍ତି। ଶ୍ରୀମନ୍ଦିର ବାଇଶି ପାହଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ସନ୍ତୁଷ୍ଟି ମିଳି ଥାଏ ଓ ସେମାନେ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏମାର ମଠ ଚକଡ଼ା ତଥା ଅରୁଣ ସ୍ତମ୍ଭ ଡାହାଣ ପଟ ଖୋଲା ସ୍ଥାନରେ ବଡ଼ବଡୁଆ ଡାକିବା ଓ ଶ୍ରାଦ୍ଧ କାର୍ଯ୍ୟ ପାଇଁ ସ୍ଥାନ ରଖାଯାଇଥିଲା। ସେହିପରି ଶାନ୍ତି ଶୃଙ୍ଖଳା ପାଇଁ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ଯେପରି କୌଣସି ପ୍ରକାର ଅଘଟଣ ନଘଟେ ସେ ନେଇ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ରହିଥିଲେ। ଶ୍ରୀମନ୍ଦିରକୁ ଭକ୍ତଙ୍କ ଶୃଙ୍ଖଳିତ ପ୍ରବେଶ ନେଇ ସିଂହଦ୍ୱାରଠାରୁ ବଡ଼ ଆଖଡା ମଠ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଏହାସହ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା।

Comment