ଓଡ଼ିଶାଲାଇଭ ବ୍ୟୁରୋ

ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଜଳି ପାଉଁଶ ହୋଇଗଲା ୧୦୦ରୁ ଅଧିକ ଦୋକାନ ଘର। ଏହି ଅଘଟଣ ଘଟିଛି ସମ୍ବଲପୁର ଗୋଲବଜାରସ୍ଥିତ ପରିବା ମାର୍କେଟରେ। ରବିବାର ରାତି ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଦୀପାବଳି ଅବସରରେ ରବିବାର ରାତିରେ କିଛି ଦୋକାନୀ ଦୋକାନ ଘରେ ଦୀପ ଲଗାଇ ଚାଲିଯାଇଥିଲେ। ଦୀପରୁ ନିଆଁ ଲାଗି ଏହି ଅଘଟଣ ଘଟିଥିବା ବୋଲି ସନ୍ଦେହ କରାଯାଉଛି।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁରେ ଲକ୍ଷ ଲକ୍ଷ ଟଙ୍କାର ପରିବା ନଷ୍ଟ ହୋଇଯାଇଥିବା ନେଇ ଦୋକାନୀମାନେ କହିଛନ୍ତି।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ଏଭଳି ଅଘଟଣ ଘଟିଛି। ବାହାନଗା ବ୍ଲକ୍ ଖନ୍ତାପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ଜୋତା ଦୋକାନ ଜଳି ପାଉଁଶ ହୋଇଯାଇଛି। ନିଆଁରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋତା ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି।

Comment