ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସାଢ଼େ  ସତର କୋଟି ଟଙ୍କାର ଏକ ପାଣ୍ଠିକୁ ଅନୁମୋଦନ କରିଛନ୍ତି। ରାଜ୍ୟର ସମସ୍ତ ପୋଲିସ ଥାନା ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଥାନାଗୁଡ଼ିକରେ ସ୍ୱଚ୍ଛତା,ଦକ୍ଷତା ଓ ସମ୍ମାନ ବଜାୟ ରଖିବା ପାଇଁ ଏହି ଅର୍ଥ ଦିଆଯାଇଛି। ରାଜ୍ୟର ସବୁ ୫୮୭ ଥାନା ଏହି ପାଣ୍ଠିରୁ କିଛି କିଛି ପାଇବେ। ‘ମୋ ସରକାର’ ଅନ୍ତର୍ଗତ ଏହି ପାଣ୍ଠି ଯେ ନିହାତି ଆବଶ୍ୟକ ଥିଲା ଏହା ନିଃସନ୍ଦେହରେ କୁହାଯାଇପାରେ।

ଏହାକୁ କଣ୍ଟିନଜେନ୍ସି ଫଣ୍ଡ କୁହାଯାଏ , ଏହି ଭଳି ଅର୍ଥ ବରାଦ ଅନ୍ୟ ରାଜ୍ୟ ଯଥା କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ହୋଇ ଆସୁଛି। ବିଭିନ୍ନ ସମୟରେ ପୋଲିସ ସଂସ୍କାର ସମ୍ପର୍କିତ କମିଟି ମଧ୍ୟ ଏହିଭଳି ଏକ ହାତ ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ଏହି ପାଣ୍ଠିର ଗୋଟିଏ ବଡ଼ ଲକ୍ଷ୍ୟ ହେଉଛି  ଥାନାର ଦୈନିକ  ଖର୍ଚ୍ଚ ବାବଦକୁ ପୋଲିସ ଯେଉଁ  ଲାଞ୍ଚ ନିଅନ୍ତି ତାହା ଆଉ ହେବ ନାହିଁ।

ନବୀନ ସରକାରଙ୍କ ପକ୍ଷରୁ  ଯେଉଁ ଥାନା ମର୍ଯ୍ୟାଦା ପାଣ୍ଠି ମଞ୍ଜୁର କରାଯାଇଛି ସେଥିରେ କଟକ ଓ ଭୁବନେଶ୍ୱରର ୪୪ଟି ଟାଉନ ଥାନା ପ୍ରତି ମାସରେ ୪୦ ହଜାର ଟଙ୍କା ଲେଖାଏଁ ପାଇବେ।ଛୋଟ ଛୋଟ ସହର ଥାନାକୁ ୩୦ ହଜାର ଓ ଗ୍ରାମାଞ୍ଚଳରେ ଥିବା ଥାନା ମାସିକ ୨୦ ହଜାର ଟଙ୍କା ଲେଖାଏଁ କଣ୍ଟିନଜେନ୍ସି  ଖର୍ଚ୍ଚ ପାଇବେ। ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ଏବେ ଥାନା ଗୁଡ଼ିକ ମାତ୍ର ୩୦୦ ଟଙ୍କା ପାଇଥାନ୍ତି।

ଏହାଛଡ଼ା ମହିଳା ଥାନା, ଟ୍ରାଫିକ ଥାନା, ରେଳବାଇ ଥାନା , ସାଇବର ପୋଲିସ ଥାନା, ଏସ୍ଟିଏଫ ଥାନା ଏହିଭଳି ଯେତେ ପ୍ରକାର ଥାନା ଅଛି ସମସ୍ତେ କିଛି ନା କିଛି ଫଳେପୁଷ୍ପେ ପାଇବେ। ଏହା ଦ୍ୱାରା ‘ମୋ ସରକାର’ କାମକୁ ଭଲ ଭାବରେ ପାଳନ କରିହେବ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନା ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର  ଏବଂ ସେଠାରେ କିଭଳି ଆଚରଣ ପ୍ରଦର୍ଶନ କରାଯାଉଛି ସେ ସମ୍ପର୍କରେ ଏତଲା ପ୍ରଦାନକାରୀଙ୍କଠାରୁ ଫୋନରେ ବୁଝିଥିଲେ। ଏଣୁ ସେହି କାମକୁ ଆଗେଇ ନେବା ପାଇଁ ଓ ଯେଉଁମାନେ ଥାନାକୁ ଯାଉଛନ୍ତି ସେମାନଙ୍କ ଚା ପାଣି ଖର୍ଚ୍ଚ ତୁଲାଇବା ସକାଶେ ଏହି ଅର୍ଥର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଉଛି।

ତା ଛଡ଼ା ଥାନାରେ ମୌଳିକ ସୁବିଧା ନଥିବା,ଥାନା ଅଧିକାରୀଙ୍କ ଗାଡ଼ିରେ ତେଲ ପକାଇବା ପାଇଁ ଅର୍ଥ ନଥିବା ଏଭଳି କେତୋଟି ନ୍ୟୁନତମ  ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବ୍ୟୟ ବରାଦ କରାଯାଇଛି।ମୋଟାମୋଟି ଭାବରେ, ରାଜ୍ୟର ପୋଲିସ ଥାନା ଗୁଡ଼ିକର ନିର୍ମଳ ଭାବମୂର୍ତ୍ତି ରକ୍ଷା ଦିଗରେ ଏହି ଟଙ୍କା କାମ ଦେବ ବୋଲି ସରକାର ଆଶା ରଖିଛନ୍ତି।

Comment