ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କିଛି ମାସର ନୀରବତା ପରେ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ରାଜନୀତି ତେଜିଛି। ରତ୍ନଭଣ୍ଡାର ଅଳଙ୍କାର ସାର୍ବଜନୀନ କରିବାକୁ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହାର ଜବାବ ରଖିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାର ଚୁପ୍‌ ବସି ନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

‘‘ବିରୋଧୀ ଦଳ ନେତାଙ୍କ ଚିଠି ଆମର ହସ୍ତଗତ ହୋଇନାହିଁ। ସେ ଚିଠିରେ କ’ଣ ଉଲ୍ଲେଖ କରିଛନ୍ତି ତାହା ଆମେ ଜାଣି ନାହୁଁ। ଚିଠି ପାଇବା ପରେ ଆମେ ତର୍ଜମା କରିବୁ ଏବଂ ଯାହା ପଦକ୍ଷେପ ନେବା କଥା ନେବୁ। ରତ୍ନଭଣ୍ଡାର ସମ୍ପର୍କରେ ସରକାର ସଚେତନ ଅଛନ୍ତି। ସରକାର ଚୁପ୍‌ ବସି ନାହାନ୍ତି’’, କହିଛନ୍ତି ପ୍ରତାପ ଜେନା।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ରତ୍ନଭଣ୍ଡାର ଭିତର ଗୃହର ଚାବି ହଜିବା ପରେ ସରକାର କମିସନ ଗଠନ କରିଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କ ନେତୃତ୍ୱରେ ସରକାର କମିସନ ଗଠନ କରିଥିଲେ।

ରତ୍ନଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ନେତା ସୁର ରାଉତରାୟ ମୁହଁ ଖୋଲିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଆଉ ରାଜନୀତି ନକରାଯାଉ ବୋଲି କହିଛନ୍ତି ସୁର।

‘‘ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଅତୀତରେ ବିଜୁ ପଟ୍ଟନାୟକ ଏବଂ ଜାନକୀ ପଟ୍ଟନାୟକଙ୍କ ସରକାର ଉଦ୍ୟମ କରି ଫେଲ୍ ମାରିଥିଲେ। ନବୀନ ବାବୁଙ୍କ ଅମଳରେ ଗତ ବର୍ଷ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ହେଲେ ଚାବି ମିଳିଲାନି। ଚାବି କାହା ପାଖରେ ଥିଲା ସେ ସମ୍ପର୍କରେ ସରକାର ତଥ୍ୟ ରଖି ନଥିଲେ। ଏଣୁ ରତ୍ନଭଣ୍ଡାରକୁ ନେଇ ଅଯଥା ରାଜନୀତି ନକରାଯାଉ’’, କହିଛନ୍ତି ସୁର ରାଉତରାୟ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ଆଜିବି ସନ୍ଦେହରେ ରହିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ରତ୍ନଭଣ୍ଡାର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ସାର୍ବଜନୀନ କରାଯାଉ।

Comment