ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସଙ୍ଗଠନ ଦିନକୁ ଦିନ ରାଜ୍ୟରେ ଭୁଶୁଡୁଥିବା ବେଳେ ନେତାଙ୍କର ସଦ୍‌ବୁଦ୍ଧି ଉଦୟ ହେଉନି। ସଙ୍ଗଠନ କେମିତି ଆଗକୁ ବଢ଼ିବ ସେନେଇ ନେତା ମାନସମନ୍ଥନ କରିବା ବଦଳରେ ‘ନିରଞ୍ଜନ’ ହଟାଓ ମେଳି ଆରମ୍ଭ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି।

ଭୁବନେଶ୍ୱର ପାନ୍ଥ ନିବାସରେ ବୁଧବାର ଦିନ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ବାପି ସର୍ଖେଲ ଏହାର ନେତୃତ୍ୱ ନେଇଥିଲେ। ଏହି ବୈଠକରେ ପିସିସି ସଭାପତି ବଦଳାଇବା ଉପରେ ଆଲୋଚନା ହୋଇଥିଲା। ନିରଞ୍ଜନଙ୍କ ଜାଗାରେ ମହମ୍ମଦ ମୋକିମ୍‌ଙ୍କୁ ପିସିସି ସଭାପତି କରିବାକୁ ବୈଠକରେ ଆଲୋଚନା ହୋଇଥିଲା।  ଏନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ନଭେମ୍ବର ପ୍ରଥମ ସପ୍ତାହରେ ନୂଆଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

୨୦୧୯ ସାଧାରଣ ନିର୍ବାଚନ, ପାଟକୁରା ଏବଂ ବିଜେପୁର ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହି ପରାଜୟରେ ନିଜକୁ ଦାୟି କରି ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଗ୍ରହଣ କରି ନଥିଲା।

ସାଧାରଣ ନିର୍ବାଚନ ପରେ ପାଟକୁରା ଏବଂ ବିଜେପୁର ଉପନିର୍ବାଚନ ହୋଇଥିଲା। ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ୨ ହଜାର ଭୋଟ ପାଇ ଅମାନତ ହାରିଥିବା ବେଳେ ବିଜେପୁରରେ କଂଗ୍ରେସ ୫ ହଜାର ଭୋଟ ପାଇ ନିଜର ସ୍ଥିତି ହରାଇଥିଲା।

କଂଗ୍ରେସ ବାରମ୍ବାର ନିର୍ବାଚନରେ ପରାଜିତ ହେଉଥିବାରୁ ଏହାକୁ କିଛି ନେତା ଗ୍ରହଣ କରିପାରୁ ନାହାନ୍ତି। ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ନେତା ମେଳି ବାନ୍ଧିଲେଣି।

‘‘ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମତେ କୁହନ୍ତୁ। ମୁଁ ସେମାନଙ୍କ ନାଁ ଏଆଇସିସିକୁ ସୁପାରିଶ କରିବି। କଂଗ୍ରେସ ଏମିତି ମେଳି କିଛି ନୂଆ ନୁହଁ। ଏହା ପୁରୁଣା ରୋଗ। ପିସିସିରେ ପଦବୀ କି ଟିକେଟ ପାଇ ନଥିବା ଲୋକ ଏମିତି କରୁଛନ୍ତି। ମତେ ବାହାର କରିବା ପାଇଁ ବୈଠକ କରିବା କିଛି ଦରକାର ନାହିଁ। ମୁଁ ଏହି ପଦବୀରେ ରହିବାକୁ ଚାହୁଁନି’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Comment