ଓଡ଼ିଶାଲାଇଭ୍ ବ୍ୟୁରୋ
ଟୋକିଓ ଅଲିମ୍ପିକଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛି ଭାରତୀୟ ମହିଳା ହକି ଦଳ। ଦଳ ଶୁକ୍ରବାର ଲିଗ୍ ପର୍ଯ୍ୟାୟରେ ଆମେରିକାକୁ ୫-୧ ଗୋଲରେ ହରାଇ ଦେଇଛି। ଏହାସହ ଟୋକିଓ ଅଲିମ୍ପିକ ଖେଳିବା ନେଇ ଟିମ୍ ଇଣ୍ଡିଆର ଆଶା ବଢ଼ିଯାଇଛି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ ମହିଳା ହକି ଦଳ। ଦଳ ୫-୧ର ବଡ଼ ବ୍ୟବଧାନରେ ଆମେରିକା ମହିଳା ହକି ଦଳକୁ ପରାସ୍ତ କରିଛି।
ଭାରତୀୟ ଦଳ ଆରମ୍ଭରୁ ଭଲ ଆରମ୍ଭ କରିଥିଲା। ମୁଖ୍ୟତଃ ସେକେଣ୍ଡ ହାଫରେ ଦଳ ବେଶ୍ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଭାରତୀୟ ଦଳ ୧୧ ମିନିଟ୍ ଭିତରେ ଆମେରିକା ଉପରେ ଚାରୋଟି ଗୋଲ କରିଥିଲା।
ଶନିବାର ମଧ୍ୟ ଉଭୟ ଦଳ ପରସ୍ପରକୁ ଭେଟିବେ। ଦୁଇଟି ମ୍ୟାଚର ଗୋଲକୁ ଗଣାଯିବା ପରେ ଅଧିକ ଗୋଲ ଦେଇଥିବା ଦଳ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିବ।