ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଯେଉଁମାନେ ମେଳି କରୁଥିଲେ ଆଜି ସେମାନେ ନିରଞ୍ଜନଙ୍କ ଶରଣ ପଶିଛନ୍ତି। ନିରଞ୍ଜନଙ୍କୁ ଭୀଷ୍ମ ପିତାମହ କହି ତାଙ୍କ ମାନ ଭଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି।

ଗତ ଦୁଇ ଦିନ ତଳେ ଭୁବନେଶ୍ୱର ପାନ୍ଥ ନିବାସରେ କିଛି ଅସନ୍ତୁଷ୍ଠ କଂଗ୍ରେସ ନେତା ଏକାଠି ହୋଇଥିଲେ। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇ ତାଙ୍କ ଜାଗାରେ ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେବାକୁ ଆଲୋଚନା କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ପାରାଦୀପ କଂଗ୍ରେସ ନେତା ବାପି ସର୍ଖେଲ। ନିରଞ୍ଜନଙ୍କ ବଦଳରେ ସେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌ଙ୍କ ନାଁ ନେଇଥିଲେ। କଟକ ଭଳି ଜାଗାରେ ମୋକିମ୍ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିବାରୁ ତାଙ୍କ ଭଳି ନେତାଙ୍କୁ କଂଗ୍ରେସ ସଙ୍ଗଠନ ଦାୟିତ୍ୱରେ ରଖିବାକୁ ମତ ଦେଇଥିଲେ।

ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ମେଳି ପ୍ରଚାର ହେବା ପରେ ନିରଞ୍ଜନ ପ୍ରତିକ୍ରିୟା ରଖିଥିଲେ।

‘‘ମୋର ସଭାପତି ପଦରେ ରହିବାକୁ ଇଚ୍ଛା ନାହିଁ। ଯିଏ ଚାହୁଁଛନ୍ତି ସେ ଆସନ୍ତୁ ମୁଁ ତାଙ୍କୁ ନେଇ ହାଇକମାଣ୍ଡଙ୍କ ପାଖକୁ ଯାଇ ସୁପାରିଶ କରିବି। କଂଗ୍ରେସର ଏହା ପୁରୁଣା ରୋଗ’’, କହିଥିଲେ ନିରଞ୍ଜନ।

ଦୁଇ ଦିନ ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ଯେଉଁମାନେ ମେଳି ବାନ୍ଧିଥିଲେ ସେମାନଙ୍କ ଭିତରୁ ଅଧିକାଂଶ ନେତା ନିରଞ୍ଜନଙ୍କ ପାଖକୁ ଆସି ଶରଣ ପଶିଛନ୍ତି। ନିରଞ୍ଜନ ବି ସେମାନଙ୍କୁ ପାଠ ପଢ଼ାଇଥିଲେ। ଶେଷରେ ନିରଞ୍ଜନ ଗତ ଦୁଇ ଦିନ ତଳେ ଦେଇଥିବା ମନ୍ତବ୍ୟ ବଦଳାଇଥିଲେ।

‘‘ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବାରୁ କର୍ମୀମାନେ ହତାଶ ହୋଇ ଯାଇଛନ୍ତି। ହତାଶ ହୋଇ ଏଭଳି ବୟାନ ଦେଇଥିଲେ’’, କହିଛନ୍ତି ନିରଞ୍ଜନ।

ଏପଟେ ନିରଞ୍ଜନଙ୍କ ବିରୋଧରେ ମେଳି ବାନ୍ଧିଥିବା କର୍ମୀ ବି ନିରଞ୍ଜନଙ୍କୁ ପ୍ରଶାଂସା କରିଛନ୍ତି। ସେମାନେ କହିଛନ୍ତି ଯେ ନିରଞ୍ଜନ ହେଉଛନ୍ତି କଂଗ୍ରେସର ପିତାମହ ଭୀଷ୍ମ। ତାଙ୍କୁ କିଏ ହଟାଇବ? ହେଲେ ଅର୍ଜୁନଙ୍କ ଭଳି ଜଣେ ଯୁବ ଯୋଦ୍ଧା ଆମର ଦରକାର।

Comment