ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ନୀତି ଓ ପରିଚାଳନାରେ ସଂସ୍କାର ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମୋଟ ୨୨ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ୍ ଲୟର୍ସ ପକ୍ଷରୁ ଦେବାଶିଷ ମିଶ୍ର ଓ ପାର୍ଥ ଶୀଲ ଦାୟର କରିଥିବା ଦୁଇଟି ମାମଲାର ଅତିରିକ୍ତ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଉପରେ ରାଜ୍ୟ ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି।

‘‘ସୁପ୍ରିମକୋର୍ଟ ମୋଟ ୨୨ଟି ପ୍ରସଙ୍ଗରେ ରାୟ ଦେଇଥିଲେ। ସେଥିମଧ୍ୟରୁ ୮ରୁ ୧୦ଟି ରାୟ ଖଣ୍ଡପୀଠ ପଢ଼ି ଶୁଣାଇଥିଲେ। ବାକି ରାୟ ଅର୍ଡର କପି ମିଳିବା ପରେ ଜଣାପଡ଼ିବ’’, କହିଛନ୍ତି ଅଶୋକ ପରିଜା।

ସୁପ୍ରିମକୋର୍ଟ କ’ଣ ଦେଇଛନ୍ତି ନିର୍ଦ୍ଦେଶ?

ଶ୍ରୀମନ୍ଦିର ପରିଚାଳନା ଉପରେ ସୁପ୍ରିମକୋର୍ଟ ଅଧିକ ଫୋକସ୍‌ କରିଛନ୍ତି। କେବଳ ଶ୍ରୀମନ୍ଦିର ଉପରେ ଫୋକସ୍‌ ଦେବା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଚଳଅଚଳ ସମ୍ପତ୍ତିର ଏକ ଦସ୍ତାବିଜ୍ ପ୍ରସ୍ତୁତ କରି ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିରୁ ଆୟ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀମନ୍ଦିର ଜମିରେ ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ଦିର ପରିଚାଳନା କମିଟି ଏହି ଜମି ଯୋଗାଇ ଦେବେ। ସେହିପରି ପୁରୀରେ ଏକ ଆଧୁନିକ ସ୍କୁଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ପାଖରେ ଓଡ଼ିଶାର ଏକ ସଂସ୍ଥାର ପ୍ରାୟ ୬କୋଟି ଟଙ୍କା ଜମା ରହିଛି। ଏହି ଅର୍ଥ ରାଜ୍ୟ ସରକାରଙ୍କୁ ଦିଆଯିବ। ସେହି ଟଙ୍କାରେ ପୁରୀରେ ସ୍କୁଲ ନିର୍ମାଣ କରାଯିବ।

ଭକ୍ତମାନଙ୍କ ସୁବିଧା ପାଇଁ ପକେଟ୍‌‌ ମାର୍ ଓ ଠେଲାପେଲାକୁ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି।

Comment