ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ: ବଧୂ ହତ୍ୟା ମାମଲାର ବିଚାର କରି ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍‌ ସ୍ୱାମୀ ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସେମାନଙ୍କୁ ୧୮ ହଜାର ଟଙ୍କା ଜରିମାନ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦିଖାପଦା ଗାଁର ସୁରେନ୍ଦ୍ର ବାରିକଙ୍କ ଝିଅ ଯମୁନା ଉଦଳା ଥାନା ଅନ୍ତର୍ଗତ ରାଢ଼ୋ ଗାଁର ରବିନ୍ଦ୍ରନାଥ ଖଟୁଆଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘର ଲୋକେ ଯମୁନାଙ୍କ ଉପରେ ନିର୍ଯ୍ୟାତନା କରୁଥିବା ଖବର ପ୍ରକାଶ ପାଇଛି।

ଗତ ୨୦୧୬ ମସିହା ଏପ୍ରିଲ ୧୫ ତାରିଖରେ ଶାଶୁ ଘର ଲୋକେ ଯମୁନା ଉପରେ ଆକ୍ରମଣ କରି କିରୋସିନି ଢାଳି ତାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଉଦଳା ଥାନାରେ ମାମଲା ରୁଜୁ କରାଯାଇ ମାମଲା ବିଚାରାଧୀନ ଥିଲା।

ମଙ୍ଗଳବାର ଅପରାହ୍‌ଣରେ ଜିଲ୍ଲା ଜଜ୍‌ ସଞ୍ଜୟ ରଞ୍ଜନ ବହିଦାର ଏହି ମାମଲାରେ ରାୟ ଶୁଣାଇଥିଲେ। ବଧୂ ହତ୍ୟା ମାମଲାରେ ସ୍ୱାମୀ ରବିନ୍ଦ୍ରନାଥ ଖଟୁଆ ଏବଂ ତାଙ୍କ ଭଉଣୀ କୌଶଲାଙ୍କୁ ଆଜୀବନ କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହିତ ଦୋଷୀଙ୍କୁ ୧୮ ହଜାର ଟଙ୍କା ଜରିମାନା ରାଶି ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment