ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁଟିଏ ଜନ୍ମ ନେଲେ ମା’ ମନରେ ନାନା ଆଶା ଆଶଙ୍କା ଲାଗି ରହିଥାଏ। ମନରେ ନାନାଦି ପ୍ରଶ୍ନ ସୃଷ୍ଟି ହୋଇଥାଏ। ନବଜାତ ଶିଶୁ ପାଇଁ କ’ଣ କରିବା ଉଚିତ କ’ଣ ନ କରିବା ଉଚିତ୍ ଏସବୁ ଦ୍ୱନ୍ଦ ଲାଗି ରହିଥାଏ। ତେବେ ଶିଶୁଟିଏ ଜନ୍ମ ହେବା ପରେ ଉଭୟ ମା’ ଓ ବାପାଙ୍କୁ କିଛିଟା ଦିଗ ପ୍ରତି ଧ୍ୟାନ ଦେବାକୁ ଆବଶ୍ୟକତା ରହିଛି ।

-ଶିଶୁଟି ଜନ୍ମ ହେବା ପରେ ତା’ର ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ଭଲ ଭାବରେ ଦେଖନ୍ତୁ ।

-ଶିଶୁଟିର ଜନ୍ମର ୪ରୁ ୬ ଘଣ୍ଟା ମଧ୍ୟରେ ପ୍ରଥମ ପରିସ୍ରା କରିବା ଓ ୨୪ ଘଂଟା ମଧ୍ୟରେ ଝାଡ଼ା କରିବା ଦରକାର। ସାଧାରଣତଃ ଏହି ସମୟରେ ମଳର ରଙ୍ଗ ହଳଦିଆ ମିଶା ସବୁଜ କିମ୍ବା କଳା ରଙ୍ଗର ଦିଶି ଥାଏ । ଏହାକୁ ଦେଖି ସାଧାରଣତଃ ମାଆମାନେ ଡରି ଯାଆନ୍ତି । କିନ୍ତୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ଏହାକୁ ଡାକ୍ତରୀ ଭାଷାରେ ମେକୋନିୟମ କହନ୍ତି । ଜନ୍ମର ୪୮ ଘଣ୍ଟା ଭିତରେ ଏହି ମେକୋନିୟମ ପରିଷ୍କାର ହୁଏ । ଏହା ପରେ ଶିଶୁଟି ପାକ୍ ପ୍ରଣାଳୀ କାର୍ଯ୍ୟକ୍ଷମ ହୁଏ ।

-ମା କ୍ଷୀର ଶିଶୁ ପାଇଁ ସବୁଠୁ ଉପକାରୀ । ଜନ୍ମ ହେବା ମାତ୍ରେ ହିଁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । କିନ୍ତୁ ଶିଶୁଟି ମା’ଠାରୁ ସାଙ୍ଗେ ସାଙ୍ଗେ ଖାଇବା ପାଇଁ ସମର୍ଥ ହୁଏନି। ତେଣୁ ତାକୁ ବାରମ୍ବାର ବାରମ୍ବାର କ୍ଷୀର ଦେବାର ଆବଶ୍ୟକତା ରହିଛି । ଶିଶୁଟିକୁ ଖୁଆଇବାରେ ଅଧିକ ସମୟ ଲାଗିପାରେ ।

-ଜନ୍ମ ହେବା ଶିଶୁକୁ ମହୁ, ଗ୍ରାଇପ ୱାଟର, ପାଣି, ଜନମଘୁଁଟି ଦେବା ହାନୀକାରକ ହୋଇପାରେ ।

-ଜନ୍ମ ସମୟରେ ଶିଶୁର ଚର୍ମ ଉପରେ ଧଳା ରଙ୍ଗର ଅଠାଳିଆ ଆସ୍ତରଣ ରହିଥାଏ । ମା’ ପେଟରେ ଥିବା ବେଳେ ଏହି ଆସ୍ତରଣ ଶିଶୁକୁ ରକ୍ଷା କରିଥାଏ । ଜନ୍ମ ପରେ ଏହାକୁ ସଫା କରାଯାଏ ଏହା ପରେ ଶିଶୁର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଆସେ ।

-ବେଳେ ବେଳେ ଶିଶୁ ଜନ୍ମର ତିନିରୁ ଚାରି ଦିନ ମଧ୍ୟରେ ଶିଶୁର ଚମଡ଼ା ଓ ଆଖି ହଳଦିଆ ଦେଖାଯାଏ । ଏହାକୁ କାମଳ କିମ୍ବା ଜଣ୍ଡିସ୍ ବୋଲି ଡାକ୍ତର କହନ୍ତି । ମୃଦୁ କାମଳ ହୋଇଥିଲେ ଏହା ୧୦ ଦିନ ଭିତରେ ଭଲ ହୋଇଯାଏ । ଏହାର ମାତ୍ରା ଅଧିକ ଥିଲେ ଶିଶୁକୁ ଡାକ୍ତରଙ୍କ ପରାମର୍ଶ ନେଇ କିଛି ଘଣ୍ଟା ପାଇଁ ଆଲୋକ ରଶ୍ମୀ ଚିକିତ୍ସା ଦିଆଯାଇଥାଏ।

-ପ୍ରତ୍ୟେକ ଶିଶୁ ଡାକ୍ତରଖାନାରୁ ଘରକୁ ଫେରିବା ବେଳେ ସେମାନଙ୍କ ନାଭିନାଡ଼ ଲାଗିଥାଏ । ଏହା ଶୁଖିବାକୁ ପ୍ରାୟ ୮ ଦିନ ଲାଗିଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ବିନା ନାଭି ନାଡ଼ରେ କୌଣସି ଔଷଧ ଲଗାନ୍ତୁ ନାହିଁ । ବେଳେ ବେଳେ ଏହା ପାଚି ଯାଏ । ଏପରିକି ଡାଏପର ବାଜି ଏହା ଯେମିତି ଘଷି ନ ହୋଇଯାଏ ସେଥି ପ୍ରତି ଧ୍ୟାନ ଦେବା ଉଚିତ ।

Comment