ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଶୁକ୍ରବାରଠୁ ଆରମ୍ଭ ହେଉଛି ପଞ୍ଚକ ବ୍ରତ। ଏନେଇ ପୁରୀ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଗହଳି ଜମିଲାଣି। ଧିରେଧିରେ ପୁରି ଉଠୁଛି ବଡଦାଣ୍ଡ। କାଲି ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିବେ। ଭୋରୁ ଶ୍ରୀମନ୍ଦିରରେ ନୀତି ଆରମ୍ଭ ହେବ। ମଙ୍ଗଳ ଆଳତୀ , ମଇଲମ ଓ ତଡପ ଲାଗି ସହ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ।
ଚତୁର୍ଦ୍ଧାମୂର୍ତ୍ତି ଲକ୍ଷ୍ମୀ ନାରାୟଣ ବେଶରେ ମଇଲମ ହୋଇ ରତ୍ନସିଂହାସନ ଉପରୁ ଥାଇ ଦର୍ଶନ ଦେବେ। ଏନେଇ ଆସନ୍ତାକାଲିଠାରୁ ଭକ୍ତଙ୍କ ଗହଳି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସିଂହଦ୍ୱାର ଆଗରେ ଥିବା ସ୍ଥାୟୀ ବ୍ୟାରିକେଡକୁ ଅଧିକ ଚଉଡା କରାଯିବ। ଉଚ୍ଛେଦ ହେବା ପରେ ବଡଦାଣ୍ଡରେ ଅଧିକ ଜାଗା ବାହାରି ଥିବାରୁ ବେରିକେଡକୁ ଅଧିକ ଲମ୍ବ ନକରି ଚଉଡା କରାଯିବ। ଏଥିରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡି ରହିବ। ସେମାନଙ୍କୁ ସହାୟତା କରିବା ଲାଗି ସ୍ୱତନ୍ତ୍ର ଭାବେ ଭଲିଣ୍ଟିଅର ନିୟୋଜିତ କରାଯିବ।
















