ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ପଞ୍ଚକ। ପଞ୍ଚକ ପାଇଁ ବଡ଼ଠାକୁରଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ପଞ୍ଚକ ପାଞ୍ଚ ଦିନ ଦାରୁ ଦିଅଁଙ୍କର ୫ଟି ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହି ବେଶ ଦର୍ଶନ କଲେ ପୂଣ୍ୟ ମିଳେ ବୋଲି ଭକ୍ତଙ୍କର ବିଶ୍ଵାସ ରହିଛି।

କାର୍ତ୍ତିକ ମାସ ସାରା ଯେଉଁମାନେ ବ୍ରତ ପାଳନ କରିନଥାନ୍ତି ସେମାନେ ପଞ୍ଚକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସାମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଲୋକକଥା ଅଛି, ଏହି ପାଞ୍ଚଟି ଦିନ ବଗ ମଧ୍ୟ ମାଛ ଖାଏନି। ପଞ୍ଚକର ଏହି ପାଞ୍ଚ ଦିନ ଭକ୍ତମାନେ ଆମିଷ ନଖାଇ ବ୍ରତ ପାଳନ କରନ୍ତି।

ପଞ୍ଚକ ପାଞ୍ଚ ଦିନରେ ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି ଭକ୍ତ। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଆଜି ବଡ଼ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ଵର୍ଣ୍ଣ ଅଳଙ୍କାର ଏବଂ ପୁଷ୍ପମାଲ୍ୟ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ। ସେହିପରି ଦ୍ଵାଦଶୀ ତିଥିରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦ ଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣମୀରେ ରାଜରାଜେଶ୍ଵରୀ ବେଶ ବା ସୁନାବେଶ ଅନୁଷ୍ଠିତ ହେବ।

ପଞ୍ଚୁକ ପାଞ୍ଚ ଦିନରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଭିଡ଼ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମରିଚକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଛି। ବରିଷ୍ଠ ଏବଂ ଭିନ୍ନକ୍ଷମ ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Tags: #Culture #Tradition #KartikaBrata #ShreeMandira #ShreeJagannath #PanchukaBrata

Comment