ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟରୁ ଅଯୋଧ୍ୟା ରାୟ ଆସିବା ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଆଡଭାଇଜରି ଜାରି କରିଛନ୍ତି। ରାୟ ଆସିବା ପୂର୍ବରୁ ସବୁ ରାଜ୍ୟରେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷା ପାଇଁ କେନ୍ଦ ପକ୍ଷରୁ ଅଯୋଧ୍ୟା ସମେତ ବିଭିନ୍ନ ରାଜ୍ୟକୁ ୪୦ କମ୍ପାନି ଅର୍ଦ୍ଧସୈନିକ ବଳ ପଠାଯାଇଛି। ଏଥିରେ ୪୦୦ ପାରା ମିଲିଟାରି ଫୋର୍ସ ମଧ୍ୟ ସାମିଲ ଅଛନ୍ତି।

ନଭେମ୍ବର ୧୦ରୁ ୧୪ ତାରିଖ ଭିତରେ କେଉଁ ସମୟରେ ବି ସୁପ୍ରିମକୋର୍ଟରୁ ଅଯୋଧ୍ୟା ମାମଲାର ରାୟ ଆସିପାରେ। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଅଯୋଧ୍ୟାର ସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି।

ଅଯୋଧ୍ୟାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାସହ ଡ୍ରୋନ କ୍ୟାମେରାରେ ଅଯୋଧ୍ୟା ସହରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ।

ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ଶାନ୍ତି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି କମିଟି ସଦସ୍ୟ।

Comment