ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ତେଜିଥିଲା। ବିଭିନ୍ନ ସାମ୍ବାଦିକ ସଂଘ ଅନୁଭବଙ୍କ ଏଭଳି ଆଚରଣକୁ ନିନ୍ଦା କରିଥିଲେ। ଶେଷରେ ଅନୁଭବ ଆଜି ଦୁଃଖ ପ୍ରକାଶ କରିଛନ୍ତି।

ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଭିଡିଓ ଜାରି କରି ଅନୁଭବ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି।

ଅନୁଭବ କହିଛନ୍ତି, “ଗଣମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଗଣମାଧ୍ୟମକୁ ମୁଁ ସବୁବେଳେ ସହଯୋଗ କରିଆସିଛି। କେନ୍ଦ୍ରପଡ଼ାରେ ସାମ୍ବାଦିକଙ୍କୁ ନେଇ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ମତେ ବ୍ୟଥିତ କରିଛି।”

ଗତ ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ସାଢ଼େ ୮ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସମ୍ପର୍କରେ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ଅନୁଭବ ପ୍ରତିକ୍ରିୟା ନଦେଇ ଓଟିଭି ପ୍ରତିନିଧିଙ୍କୁ ତାତ୍ସଲ୍ୟ କରିଥିଲେ।

ଏହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ଅନୁଭବ କ୍ଷମା ମାଗନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଥିଲା। ପ୍ରତିବାଦ ତେଜିବା ପରେ ଅନୁଭବ ଭିଡିଓ ଜାରି କରି ଦୁଃଖ ପ୍ରକାଶ କରିଛନ୍ତି।

“କେନ୍ଦ୍ରାପଡ଼ା ଲୋକସଭାରେ ମୁଁ ବୈଜୟନ୍ତ ପଣ୍ଡାଙ୍କୁ ହରାଇବା ପରେ ତାଙ୍କ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲ ଅପମାନିତ କରି ଚାଲିଛି। ଭୁଲ ଖବର ପ୍ରସାରଣ କରି ମୋ ଚରିତ୍ର ସଂହାର କରାଯାଉଛି। ମୁଁ କେନ୍ଦ୍ରାପଡ଼ାବାସୀଙ୍କର ସେବା କରୁଛି ଆଗକୁ ମଧ୍ୟ କରି ଚାଲିବି। ଏଥିରେ ବିଧା ଦେବାକୁ ଚେଷ୍ଟା କରା ନଯାଉ’’, କହିଛନ୍ତି ଅନୁଭବ।

Comment