ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ମୋ’ ନିକଟରୁ ଦେଢ଼ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହାପରେ ତାଙ୍କ ପରିବାର ମାଲିକାନାରେ ଥିବା ଓଟିଭି ଚ୍ୟାନେଲ ନିୟମିତ ମୋ’ ଚରିତ୍ର ସଂହାର କରି ଆସୁଛି। ମତେ ବିରକ୍ତ ଏବଂ ଅପମାନିତ କରିବାରେ ଲାଗିଛି। ବୈଜୟନ୍ତ ବାବୁ ଏମିତି ନକରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି’’, ଏହା ହେଉଛି ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ।

ଗତ ଦୁଇ ଦିନ ହେଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ରାଜନୀତି କରିଡର ଉଠୁଥିଲା ପଡୁଥିଲା। କେନ୍ଦ୍ରାପଡ଼ାର ଜଣେ କାର୍ଯ୍ୟରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସମସ୍ତଙ୍କ ଆଗରେ ଦୁର୍ବ୍ୟବହାର କରିବା ପ୍ରସଙ୍ଗକୁ ନେଇ ଅନୁଭବ ଅପଦସ୍ତ ହୋଇଥିଲେ।

ଏପରିକି ବିଭିନ୍ନ ଜିଲ୍ଲାରେ ସାମ୍ବାଦିକମାନେ ଏକାଠି ହୋଇ ଅନୁଭବଙ୍କ ଏଭଳି ଆଚରଣର ପ୍ରତିବାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ। ଅନୁଭବ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ବିଭିନ୍ନ ସାମ୍ବାଦିକ ସଂଘ।

ହେଲେ ଏହି ଘଟଣାରେ ଅନୁଭବ କ୍ଷମା ମାଗିବେ କ’ଣ ଓଲଟା ବୈଜୟନ୍ତ ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ତୀର ମାରିଛନ୍ତି। ଫେସ୍‌ବୁକ୍‌ ଆକାଉଣ୍ଟରେ ଜାରି କରିଥିବା ଭିଡିଓରେ ଅନୁଭବ ମୂଳ ପ୍ରସଙ୍ଗରୁ ଓହରି ଯାଇଛନ୍ତି।

କେନ୍ଦ୍ରାପଡ଼ାର ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ଅନୁଭବ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ହେଉଛି ମୂଳ ପ୍ରସଙ୍ଗ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ଏଣୁ ଆଶା ଥିଲା ଅନୁଭବ ଏହି ଘଟଣାରେ କ୍ଷମା ମାଗିବେ।

ଅନୁଭବ କିନ୍ତୁ ତାହା କରି ନାହାନ୍ତି। ଗଣମାଧ୍ୟମ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି କହିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ଏହି ଭିଡିଓରେ ସେ ବୁଲେଇ ବଙ୍କେଇ ବୈଜୟନ୍ତଙ୍କୁ ଟାଣିଛନ୍ତି।

ଗତ ନିର୍ବାଚନ ବେଳେ ଅନୁଭବ ଓ ବୈଜୟନ୍ତଙ୍କ ଭିତରେ କଡ଼ା ଫାଇଟ୍‌ ହୋଇଥିଲା। ନିର୍ବାଚନ ପ୍ରଚାର ବେଳେ ଅନୁଭବ ‘ସ୍ୱାଭିମାନ ବନାମ ବେଇମାନ’ର ସ୍ଲୋଗାନ ଦେଇଥିଲେ। କେନ୍ଦ୍ରାପଡ଼ାର ସ୍ୱାଭିମାନ ମାଟିରେ ବୈଜୟନ୍ତଙ୍କୁ ପରୋକ୍ଷରେ ବେଇମାନ ଭାବେ ଦର୍ଶାଇଥିଲେ ଅନୁଭବ। ଏହାକୁ ନେଇ ସେତେବେଳେ ରାଜନୀତି ଜୋର୍‌ ଧରିଥିଲା।

‘ସ୍ୱାଭିମାନ ବନାମ ବେଇମାନ’ ଲଢ଼େଇର ପରିଣାମ କ’ଣ ହେଲା ତାହା ସମସ୍ତେ ଜାଣିଛନ୍ତି। ବିଜେଠି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଦେଢ଼ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାଜିତ ହେଲେ। ଏହାପରେ ବି ଆରୋପ ପ୍ରତ୍ୟାରୋପ ଶେଷ ହୋଇନି। ନିର୍ବାଚନ ହାରିବା ପରେ ବୈଜୟନ୍ତଙ୍କୁ ତୀର ମାରିବାକୁ ଭୁଲି ନାହାନ୍ତି ଅନୁଭବ।

ଓଟିଭିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଅନୁଭବ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି। ଅନୁଭବ ଆହୁରି କହିଛନ୍ତି, ‘‘ମୁଁ କେନ୍ଦ୍ରାପଡ଼ାବାସୀଙ୍କ ସେବା କରୁଛି। ଆଗକୁ ମଧ୍ୟ କରିବି। ବୈଜୟନ୍ତ ବାବୁ ମତେ ବାଧା ଦିଅନ୍ତୁ ନାହିଁ।’’

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଅନୁଭବ ବୈଜୟନ୍ତ ଏବଂ ଓଟିଭିକୁ ଟାଣିଥିବାରୁ ଓଟିଭି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

‘‘ଓଟିଭି ପରିଚାଳନାରେ ବୈଜୟନ୍ତ ପଣ୍ଡାଙ୍କର କୌଣସି ସଂପୃକ୍ତି ନାହିଁ। କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଲା ସେଥିରେ ବୈଜୟନ୍ତଙ୍କର ସମ୍ପର୍କ ନାହିଁ। ଏହି ଘଟଣା ବେଳେ ଅକ୍ସପୋର୍ଡରେ ଲେକ୍ଚର ଦେଉଥିଲେ ବୈଜୟନ୍ତ। ପେସାଦାର ସାମ୍ବାଦିକମାନଙ୍କୁ ନେଇ ଓଟିଭି ପରିଚାଳିତ ହେଉଛି’’, ଓଟିଭି ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

Comment