ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପାରମ୍ପରିକ ଲୋକକଳା ସଙ୍ଘର ପ୍ରଚାର ପ୍ରସାର, କଳାକାରମାନଙ୍କ ଆର୍ଥିକ ସହାୟତା ପାଇଁ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖଠାରୁ ପ୍ରତି ରବିବାର ସନ୍ଧ୍ୟା ୭ଟା ୩୦ରୁ ୮ଟା ଯାଏଁ ଲୋକକଳା କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ। ଏଥିରେ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ, ଲୋକକଳା ଦିବସ କାର୍ଯ୍ୟକ୍ରମ ଏବଂ ଜିଲ୍ଲା, ବ୍ଲକ ଓ ରାଜ୍ୟସ୍ତରରେ ହେଉଥିବା କାର୍ଯ୍ୟକ୍ରମର ପ୍ରସାରଣ କରାଯିବ।

ରାଜ୍ୟର ପୂରପଲ୍ଲୀରେ ଲୋକକଳା କାର୍ଯ୍ୟକ୍ରମକୁ ଦେଖିପାରୁନଥିବା ଲୋକେ ଦୂରଦର୍ଶନ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା କାର୍ଯ୍ୟକ୍ରମକୁ ଦେଖିବାର ସୁଯୋଗ ପାଇପାରିବେ। ଏନେଇ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନିଆଯାଇଛି।

ଓଡ଼ିଶାର ପାରମ୍ପରିକ ଲୋକକଳା ସଙ୍ଘର ପ୍ରଚାର ପ୍ରସାର, କଳାକାରମାନଙ୍କ ଆର୍ଥିକ ସହାୟତା ଏବଂ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାର ଗ୍ରାମାଞ୍ଚଳରେ ସଚେତନ କାର୍ଯ୍ୟକ୍ରମ ପାଇଁ ଲୋକକଳା ସଙ୍ଘ ଆରମ୍ଭ ହୋଇଥିଲା। ଏହାକୁ ଆଧାର କରି ୨୦୧୧ ମସିହା ଏପ୍ରିଲ ୧ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଏବଂ ବ୍ଲକ କଳା ସଂସ୍କୃତି ସଙ୍ଘର ଶୁଭାରମ୍ଭ କରିଥିଲେ। ସେହିଦିନଠାରୁ ପାରମ୍ପରିକ ଲୋକକଳା ସଙ୍ଘ ବା ଆର୍ଟିଷ୍ଟ ଫେଡେରେସନ ଅଫ୍‌ ଓଡ଼ିଶା ସଫଳତାର ସହ ଆଗକୁ ବଢ଼ିଚାଲିଛି।

ପରବର୍ତ୍ତୀ ସମୟରେ ନଗର କଳା ସଂସ୍କୃତି ସଙ୍ଘ ଏବଂ ରାଜ୍ୟ କଳା ସଂସ୍କୃତି ସଙ୍ଘ ଗଠନ କରାଯାଇଛି। ପ୍ରତ୍ୟେକ ବର୍ଷ ଜୁନ ୧୪ ତାରିଖକୁ ରାଜ୍ୟରେ ଲୋକକଳା ଦିବସ ଆକାରରେ ପାଳନ କରାଯାଏ। ୨୦୧୯ ଜାନୁଆରି ମାସରୁ ‘ଆମ ଲୋକକଳା ଆମ ସଂସ୍କୃତି’ ନାମରେ ପ୍ରତ୍ୟେକ ମାସରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଓଡ଼ିଶାର ବଛା ବଛା ଲୋକ କଳା ଦଳମାନଙ୍କୁ ଡକା ଯାଇ ପରିବେଷଣ କରାଯାଉଛି।

୨୦୧୧ ମସିହାରୁ ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ପାରମ୍ପରିକ ଲୋକ କଳାକାର ରାଜ୍ୟ ସରକାରଙ୍କ କଳାକାର ସଂଘରେ ପଞ୍ଜୀକୃତ ହୋଇଛନ୍ତି। ସେହିପରି ପାଖାପାଖି ୯ ହଜାର ଲୋକକଳା ଦଳ ପଞ୍ଜୀକୃତ ହୋଇଥିବା ବେଳେ ରାଜ୍ୟରେ ୪୭୧ ପ୍ରକାର ଲୋକକଳାକୁ ଚିହ୍ନଟ କରାଯାଇଛି।

ଲୋକକଳା ସଙ୍ଘର ବିଭିନ୍ନ କାର୍ଯ୍ୟକୁ ଦୃଢ଼ିଭୂତ କରିବା ପାଇଁ ସରକାର ସମୟକୁ ସମୟ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ପ୍ରତିବର୍ଷ ଲୋକକଳା ମହୋତ୍ସବ କେମିତି ସୁଚାରୁ ରୁପେ ହୋଇପାରିବ ସେ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ପ୍ରତ୍ୟେକ ବର୍ଷ ଏପ୍ରିଲ ୨, ୩ ଏବଂ ୪ ତାରିଖ ତିନି ଦିନ ବ୍ୟାପି ରାଜଧାନୀ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ହେଉଛି। ସେହିପରି ୨୦୧୫-୧୬ରୁ କିଛି ଜିଲ୍ଲାରେ ଜିଲ୍ଲା ଲୋକକଳା ମହୋତ୍ସବ ଏବଂ ବ୍ଲକ୍‌ମାନଙ୍କରେ ବ୍ଲକ ଲୋକକଳା ମହୋତ୍ସବ ହେଉଛି।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶାବାସୀ ତଥା ଓଡ଼ିଶା ବାହାରେ ଥିବା କଳା ପ୍ରେମୀ ତଥା ଅଣଓଡ଼ିଆ ଲୋକମାନେ ବେଶ ପସନ୍ଦ କରୁଛନ୍ତି। ତେବେ ଲୋକକଳା କାର୍ଯ୍ୟକ୍ରମକୁ ଦେଖିପାରୁନଥିବା ଲୋକଙ୍କ ପାଇଁ ଦେଖିବାକୁ ସୁଯୋଗ ସୃଷ୍ଟି କରିବା ଯାଇ ଦୂରଦର୍ଶନ ମାଧ୍ୟମରେ ଏହାର ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।

ଆସନ୍ତା ନଭେମ୍ବର ୧୭ ତାରିଖଠାରୁ ପ୍ରତି ରବିବାର ସନ୍ଧ୍ୟା ୭ଟା ୩୦ରୁ ୮ଟା ଯାଏଁ ଅଧଘଣ୍ଟା ଧରି ରାଜ୍ୟସ୍ତରୀୟ ବିଭିନ୍ନ ଲୋକକଳା କାର୍ଯ୍ୟକ୍ରମର ପ୍ରସାରଣ ଦୂରଦର୍ଶନ ମାଧ୍ୟମରେ କରାଯିବ। ଏହି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହାତକୁ ନେଇଛି।

“ଏହା ଦ୍ୱାରା ପାରମ୍ପରିକ ଲୋକକଳାର ପ୍ରଚାର ପ୍ରସାର ଘଟିବ। କଳାକାରମାନେ ଅଧିକ ଉତ୍ସାହିତ ହେବେ ଏବଂ ଆଗାମୀ ଦିନରେ କଳାକାରଙ୍କ ପାଇଁ ଏକ କଳା ପରିବେଷଣ ପାଇଁ ପରିବେଶ ସୃଷ୍ଟି କରାଯାଇପାରିବ” କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳ ବିଷୋୟୀ।

Comment