ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜର ସଞ୍ଚିତ ଅର୍ଥକୁ ଜଗନ୍ନାଥ ମନ୍ଦିର ଟ୍ରଷ୍ଟକୁ ଦାନ କଲେ ମହିଳା। ଏହି କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

ପୁରୀ: କଥାରେ ଅଛି ଅନାଥର ନାଥ ଜଗନ୍ନାଥ। ଯେଉଁ ଲୋକମାନଙ୍କର କେହି ନାହାନ୍ତି ତାଙ୍କୁ ଜଗନ୍ନାଥ ସହାୟ ହୁଅନ୍ତି ବୋଲି ବିଶ୍ଵାସ ରହିଛି। ସେମିତି ଏକ ଘଟଣା ଘଟିଛି ଅସହାୟ ମହିଳା ଡାଲିମ୍ବଙ୍କ କ୍ଷେତ୍ରରେ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରି ସମସ୍ତ ସଞ୍ଚିତ ଅର୍ଥକୁ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଦାନ କରିଛନ୍ତି ଡାଲିମ୍ବ।

ଆନ୍ଧ୍ରପ୍ରଦେଶରେ ଉଠା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ରହ୍ମପୁରୁର ମୂଳବାସିନ୍ଦା ଡାଲିମ୍ବ ସାହୁ। ସ୍ୱାମୀ ଓ ଛୋଟ ଝିଅକୁ ହରେଇବାପରେ ଅସହାୟ ହୋଇପଡିଥିଲେ ଡାଲିମ୍ବ। ନିଜ ଉପରୁ ଭରଷା ତୁଟିଯାଇଥିଲା ଓ ପାଗଳ ଭଳି ଏଣେ ତେଣେ ବୁଲୁଥିଲେ ଠିକ ସେତିକି ବେଳେ ଆନ୍ଧ୍ରର ଜଣେ ବ୍ୟକ୍ତି ତାଙ୍କୁ ଜଗନ୍ନାଥଙ୍କୁ ଡାକିବା ପାଇଁ କହିଥିଲେ।

ମହାପ୍ରଭୁଙ୍କୁ ଦେଖି ନଥିବା ଡାଲିମ୍ବ ସମର୍ପଣର ମନଭାବ ରଖି ମହାପ୍ରଭୁଙ୍କୁ ଡାକି ପୁଣି ନୂଆ ଜୀବନ ଆରମ୍ଭ କରିଥିଲେ। ସେଠି ଏକ ଉଠା ଦୋକାନ କରି ନିଜେ ବଞ୍ଚିବା ସହ ମହାପ୍ରଭୁଙ୍କ ଉଦେଶ୍ୟରେ ସଞ୍ଚୟ କରିଥିଲେ। ଡାଲିମ୍ବ ପୁରୀ ଆସି ଠାକୁରଙ୍କୁ ଦର୍ଶନ କରିବାସହ ନିଜର ଏହି ସଞ୍ଚିତ କରିଥିବା ଅର୍ଥକୁ ତାଙ୍କ ସ୍ୱାମୀଙ୍କ ନାଁରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦାନ କରିଛନ୍ତି ଯାହାର ଦାନ ରାଶି ହେଉଛି ୩୫ହଜାର ଟଙ୍କା। ଡାଲିମ୍ବଙ୍କ ଏଭଳି କାର୍ଯ୍ୟକୁ ସବୁସ୍ତରରେ ପ୍ରଶଂସା କରାଯାଇଛି।

Comment