ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁକୁ ବିରୋଧ କରିଛନ୍ତି ଏନ୍‌ସିପି-କଂଗ୍ରେସ। ମୁମ୍ବାଇରେ ଏନ୍‌ସିପି-କଂଗ୍ରେସର ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଷ୍ଟ୍ରପତି ଶାସନ ଜାରି କରି ଗଣତନ୍ତ୍ର ଏବଂ ସମ୍ବିଧାନର ମଜା ଉଡ଼ାଇବାକୁ ଉଦ୍ୟମ କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କହିଛନ୍ତି, ‘‘ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ କରିବାର କୌଣସି ଆବଶ୍ୟକତା ନଥିଲା। କେନ୍ଦ୍ର ସରକାର ଏମିତି କିଛି ରାଜ୍ୟରେ ମନମାନି କରୁଛନ୍ତି। କଂଗ୍ରେସକୁ ସରକାର ଗଠନ ପାଇଁ ନଡାକି ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ଭୁଲ୍‌। ସରକାର ଗଠନ ପାଇଁ ରାଜ୍ୟପାଳ ସମସ୍ତଙ୍କୁ ଡାକିଲେ, ହେଲେ କଂଗ୍ରେସକୁ ଡାକିଲେ ନାହିଁ।’’

ଏନ୍‌ସିପି ମୁଖ୍ୟ ଶରଦ ପାୱାର ବି ରାଷ୍ଟ୍ରପତି ଶାସନକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘‘ଆମେ ଦ୍ୱିତୀୟ ଥର ନିର୍ବାଚନ ଚାହୁଁନୁ। ଆମେ କୌଣସି କ୍ଷେତ୍ରରୁ ଦୁର୍ବଳ ନାହୁଁ। ଶିବସେନା ଆମ ସହ ସମ୍ପର୍କ କରିଥିଲା। ହେଲେ କଂଗ୍ରେସ ସହ ମେଣ୍ଟ କରି ଆମେ ନିର୍ବାଚନ ଲଢ଼ିଥିଲୁ। କଂଗ୍ରେସ ସହ ଆଲୋଚନା କରିବା ପରେ ହିଁ ଆମେ ନିଷ୍ପତ୍ତି ନେଇଥାନ୍ତୁ।’’

ସରକାର ଗଠନ ପାଇଁ ରାଜ୍ୟପାଳ ପ୍ରଥମେ ବିଜେପି ଓ ପରେ ଶିବସେନାକୁ ଡାକିଥିଲେ। ବିଜେପି ସରକାର ଗଠନରୁ ଓହରି ଯାଇଥିଲା। ଶିବସେନା ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ନିଷ୍ପତ୍ତି ନେଇପାରି ନଥିଲା। ଶେଷରେ ରାଜ୍ୟପାଳ ଏନ୍‌ସିପିକୁ ଡାକିଲେ। ହେଲେ ଏନ୍‌ସିପି ବି କୌଣସି ନିଷ୍ପତ୍ତି ନେଇ ପାରିଲା ନାହିଁ। ଫଳରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ।

LEAVE A REPLY

Please enter your comment!
Please enter your name here