ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ଗୃହ କମ୍ପିବ। ଚାଷୀ, ପିସି କାରବାର, ନାରୀ ନିର୍ଯାତନାକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।

ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବସିଥିଲା ବିଧାୟକ ଦଳ ବୈଠକ। ଏହି ବୈଠକରେ ନରସିଂହ ମିଶ୍ରଙ୍କ ସମେତ ୪ ଜଣ ବିଧାୟକ ଉପସ୍ଥିତ ଥିଲେ। ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

‘‘ବିଜେଡି ଓ ବିଜେପି ଭିତରେ ଅଲିଖିତ ଚୁକ୍ତି ହୋଇଛି। ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ସରକାରଙ୍କୁ କୌଣସି ପ୍ରସଙ୍ଗରେ ବିରୋଧ କରିବା ଭଳି ସ୍ଥିତିରେ ନାହିଁ। ଏଣୁ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ଭୂମିକା ନିଭାଇବ’’, କହିଛନ୍ତି ନରସିଂହ ମିଶ୍ର।

ବିଜେପି ବିଧାୟକ ଦଳ ବୈଠକ ସୋମବାର ଦିନ ପାର୍ଟି ଅଫିସରେ ବସିଥିଲା। ହେଲେ ସମସ୍ତ ବିଧାୟକ ଉପସ୍ଥିତ ନଥିବାରୁ ରଣନୀତି ଚୂଡ଼ାନ୍ତ ହୋଇ ନଥିଲା। ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବୁଧବାର ସକାଳେ ବସିବ।

ଏପଟେ ବିଜେଡି ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତ କାଲି ସକାଳେ ବସିବ ବୋଲି କୁହାଯାଉଛି। ବିଜେପି ମଧ୍ୟ ନାରୀ ନିର୍ଯାତନା, ଚାଷୀ ପ୍ରସଙ୍ଗ, ଆବାସ ଯୋଜନାରେ ଦୁର୍ନୀତି ଏବଂ ମୋ ସରକାର ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବ ବୋଲି କୁହାଯାଉଛି।

ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ ହେବ।

୩ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ସହିଦ ପୋଲିସ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶୋକ ପ୍ରସ୍ତାବ ଆସିବ। ପୂର୍ବତନ ବିଧାୟକ ସହୁରା ମଲ୍ଲିକ, ଉଦିତ୍‌ ପ୍ରତାପ ଦେଓ, ବୃନ୍ଦାବାନ ପାତ୍ରଙ୍କ ସମେତ ଓଡ଼ିଶା ପୋଲିସର ସଶସ୍ତ୍ର ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ।

Comment