ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ନେଇ ଲାଗିଥିବା ବାଦ ବିବାଦର ଅନ୍ତ ଘଟିଲା। ବିଜେପି ସରକାର ଗଢ଼ିପାରିବନି ବୋଲି କହିବା ପରେ ଶେଷରେ ଶିବସେନା ମଧ୍ୟ ସରକାର ଗଢ଼ିବାରେ ଅସମର୍ଥ ହୋଇଛି। ଫଳରେ ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ।

ତେବେ ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତି ଶାସନ କେବେ ଓ କାହିଁକି ଲାଗିଥାଏ? ଏନେଇ ଆମ ଦେଶର ସମ୍ବିଧାନରେ କ’ଣ ଉଲ୍ଲେଖ ରହିଛି, ଆସନ୍ତୁ ଜାଣିବା ସେ ବିଷୟରେ।

ଭାରତୀୟ ସମ୍ବିଧାନର ଧାରା ୩୫୬ରେ ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ରହିଛି। ଯଦି କୌଣସି ରାଜ୍ୟରେ ସରକାର ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଚାହିଁଲେ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ। ଏହା ଜରୁରୀ ନୁହେଁ କି, ଉକ୍ତ ରାଜ୍ୟର ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ ଶାସନ ଲାଗୁ କରିବେ।

ରାଜ୍ୟରେ ଯଦି କୌଣସି ଦଙ୍ଗା କିମ୍ବା ଅଶାନ୍ତି ସୃଷ୍ଟି ହୁଏ ଏବଂ ସରକାର ଏହାକୁ ସମ୍ଭାଳିବାରେ ଅସମର୍ଥ ହୁଅନ୍ତି ତାହେଲେ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରିବ। ଏନେଇ ସମ୍ବିଧାନରେ ଉଲ୍ଲେଖ ରହିଛି। ତେବେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ୨ ମାସ ମଧ୍ୟରେ ସଂସଦର ଦୁଇ ସଦନ ଲୋକସଭା ଏବଂ ରାଜ୍ୟସଭାରେ ଏହାକୁ ଅନୁମୋଦନ ମିଳିବା ଆବଶ୍ୟକ।

ସଂସଦରେ ଦୁଇ ସଦନରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ ମିଳିଲେ ଆଗାମୀ ୬ ମାସ ଯାଏଁ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ୬ ମାସ ପରେ ରାଜ୍ୟରେ କୌଣସି ସୁଧାର ନଆସିଲେ ରାଷ୍ଟ୍ରପତି ଶାସନ ସମୟ ସୀମାକୁ ବଢ଼ାଯାଇପାରିବ। ଏହିପରି ଭାବେ ୩ ବର୍ଷ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବା ନେଇ ଭାରତୀୟ ସମ୍ବିଧାନରେ ଉଲ୍ଲେଖ ରହିଛି।

ସଂଖ୍ୟାଗରିଷ୍ଠତା ନପାଇ ସରକାର ଗଢ଼ିବାରେ ଅସମର୍ଥ ହେଲେ

ଯେତେବେଳେ ରାଜ୍ୟରେ ଗୋଟିଏ ଦଳ କିମ୍ବା ଦଳୀୟ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠତା ନଥାଏ ଏବଂ ରାଜ୍ୟରେ ସରକାର ଗଠନ ସମ୍ଭବ ହୋଇନଥାଏ, ସେହି ପରିସ୍ଥିତିରେ ଉକ୍ତ ରାଜ୍ୟରେ ୬ ମାସ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ। ଏହି ସମୟରେ ରାଜ୍ୟପାଳ ବିଧାନସଭାକୁ ୬ ମାସ ଯାଏଁ ମୁଲତବି ବା ସସ୍‌ପେଣ୍ଡ କରିଥାନ୍ତି। ଏହି ୬ ମାସ ମଧ୍ୟରେ ସରକାର ଗଠନ ନେଇ ସମ୍ଭାବନା ସୃଷ୍ଟି ନହେଲେ ରାଜ୍ୟରେ ପୁଣିଥରେ ନିର୍ବାଚନ ପାଇଁ ବିଗୁଲ ବାଜିବ।

କାହିଁକି କୁହାଯାଏ ରାଷ୍ଟ୍ରପତି ଶାସନ

ରାଷ୍ଟ୍ରପତି ଶାସନରେ ରାଜ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏକ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସିଧା ଦେଶର ରାଷ୍ଟ୍ରପତିଙ୍କ ହାତକୁ ଚାଲିଯାଇଥାଏ। ତେଣୁ ଏହାକୁ ରାଷ୍ଟ୍ରପତି ଶାସନ କୁହାଯାଏ। ହେଲେ ପ୍ରଶାସନିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଶାସନଭାର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ। ରାଷ୍ଟ୍ରପତିଙ୍କ ପ୍ରତିନିଧି ସ୍ୱରୂପ ରାଜ୍ୟପାଳ ଉକ୍ତ ରାଜ୍ୟର ଶାସନଭାର ସମ୍ଭାଳିଥାନ୍ତି।

Comment