ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଥମୁନି ମଣିପୁର ହିଂସାର ତାତି। ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସଂସଦୀୟ କାର୍ଯ୍ୟ ହୋଇପାରୁନାହିଁ। ଶୁକ୍ରବାର ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି।

ଶୁକ୍ରବାର ଆରମ୍ଭରୁ ସଂସଦର ଉଭୟ ଗୃହରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ମଣିପୁରରେ ଚାଲିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରତିକ୍ରିୟା ରଖନ୍ତୁ ବୋଲି ସେମାନେ ଦାବି କରିଥିଲେ। ବିରୋଧୀଙ୍କ ହଙ୍ଗାମାରେ ଗୃହର କାର୍ଯ୍ୟ ଚାଲି ନପାରିବାରୁ ଲୋକସଭା ଓ ରାଜ୍ୟସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

ଏହାପୂର୍ବରୁ ଗୁରୁବାର ଦିନ ସଂସଦରେ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ କଳା ପୋଷାକ ପିନ୍ଧି ଆସିଥିଲେ। ଗୁରୁବାର ମଣିପୁର ପ୍ରସଙ୍ଗରେ ଆଲୋଚନା ନହେବାରୁ ସେମାନେ ଗୃହ ତ୍ୟାଗ କରଥିଲେ। ଏହାପରେ ସଂସଦ ବାହାରେ କେନ୍ଦ୍ର ସରକାରଙ୍କ ବିରୋଧରେ ସେମାନେ ସ୍ଲୋଗାନ ଦେଇଥିଲେ।

ସେହିପରି ଆସନ୍ତା ଜୁଲାଇ ୨୯ ଏବଂ ୩୦ ତାରିଖରେ ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୨୦ରୁ ଅଧିକ ଦଳର ନେତା ସାମିଲ ହେବେ। ସାଂସଦମାନେ ମଣିପୁରର ବିଭିନ୍ନ ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ। ହେଲେ ଏ ଯାଏଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ।

ଅନ୍ୟପଟେ ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଥିବାବେଳେ ଆଗକୁ ଏ ବିଷୟରେ ଆଲୋଚନା କରାଯିବ।

 Tags: #ManipurViolence #Parliament #GovtofIndia #Manipur

Comment