ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ୍‌ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଅତିରିକ୍ତ ବଜେଟ୍‌ ପରିମାଣ ମୋଟ ୮୧୨୬.୩୨ କୋଟି ଟଙ୍କା ରହିଛି।

ଅତିରିକ୍ତ ବଜେଟରେ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମଶନ ହାରରେ ବକେୟା ବାବଦ ଅର୍ଥ ନିମନ୍ତେ କୌଣସି ବ୍ୟୟବରାଦ କରାଯାଇ ନାହିଁ। କେନ୍ଦ୍ର ସରକାର କର୍ପୋରେଟ୍‌ ଟିକସ ହ୍ରାସ କରିଥିବାରୁ ରାଜ୍ୟକୁ ଜିଏସ୍‌ଟି ବାବଦରେ କେତେ ଅର୍ଥ ମିଳିବ ସେନେଇ ଆକଳନ କରାଯାଇ ନଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ଅତିରିକ୍ତ ବଜେଟରେ ସର୍ବାଧିକ ୭୪୩୨.୮୦ କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦରେ ବ୍ୟୟ ନିମନ୍ତେ ଆକଳନ କରାଯାଇଛି। ପୂର୍ତ୍ତ ବିଭାଗକୁ ସର୍ବାଧିକ ୧୭୫୧.୪୩ କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୯୨୧.୦୯ କୋଟି ଟଙ୍କା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ୮୫୯.୦୨ କୋଟି ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୯୦୨ କୋଟି ଟଙ୍କା, ଶକ୍ତି ବିଭାଗକୁ ୮୫୧.୧୫ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୫୦୪.୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ ହୋଇଥିବା ୮୧୨୬.୩୨ କୋଟି ଟଙ୍କା ମଧ୍ୟରୁ ୪୧୪୪.୫୦ କୋଟି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ବ୍ୟୟବରାଦ ଅର୍ଥରୁ ଭରଣା କରାଯିବ। ସହବନ୍ଧିତ ସମ୍ବଳ ସୂତ୍ରରୁ ୨୯୮୧.୮୮ କୋଟି, ଅଣବନ୍ଧିତ ସମ୍ବଳରୁ ୧୦୦୦ କୋଟି ଟଙ୍କା ସଂଗ୍ରହ କରାଯିବ।

ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଏକକ ନିର୍ବାଚନ ପରିଚାଳନା ନିମନ୍ତେ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ନିର୍ବାଚନ ଇଭିଏମ୍‌ କିଣିବା ପାଇଁ ୧୬.୧୧ କୋଟି ଟଙ୍କା, କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮.୫୫ କୋଟି ଟଙ୍କା, ବିଜୁ ପକ୍କା ଘର ଓ ପିଏମ୍‌ୱାଇ ଗ୍ରାମୀଣ ଯୋଜନା ନିମନ୍ତେ ୨୫୧.୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Comment