ଓଡ଼ିଶାଲାଇଭ୍‌ ବ୍ୟୁରୋ

Habishyalis returned home Holy Kartik Month

ପୁରୀ:  ସରିଲା ପବିତ୍ର ଓ ପୂଣ୍ୟ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ହବିଷ୍ୟାଳିଙ୍କ ଘର ବାହୁଡା ହୋଇଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ହବିଷ୍ୟାଳିମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି। ଫେରିବା ସମୟରେ ନିଜ ଅନୁଭୂତି ବାଣ୍ଟିବା ସହ ଏକ ଭାବାବେଗ ପରିବେଶ ସୃଷ୍ଟି କରିଛନ୍ତି।

Habishyalis returned home Holy Kartik Month

ଦୀର୍ଘ ଏକମାସ ଧରି ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିଥିଲେ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ସହ ଶେଷ ହୋଇଛି କାର୍ତ୍ତିକ ମାସ। ତେବେ ପୁରୀରୁ ହବିଷ୍ୟାଳିମାନେ ଘରମୁଁହା ହୋଇଛନ୍ତି। ବିଶେଷ କରି ହବିଷ୍ୟାଳି ଆଶ୍ରୟସ୍ଥଳରେ ରହୁଥିବା ହବିଷ୍ୟାଳି ମାନେ ଗତକାଲି କାର୍ତ୍ତିକ ପୂର୍ଣ୍ଣିମାରେ ସଂକଳ୍ପ ଉଦଯାପନ କରିଥିଲେ। ସଂଧ୍ୟାରେ ଅଧିକାଂଶ ହବିଷ୍ୟାଳି ଘରକୁ ଫେରିଯାଇଥିବା ବେଳେ ଅବଶିଷ୍ଟ ହବିଷ୍ୟାଳି ଆଜି ସକାଳେ ଘରକୁ ଫେରିଛନ୍ତି।

Habishyalis returned home Holy Kartik Month

ଫେରିବା ସମୟରେ ଦେଖାଯାଇଛି ଭାବବିହୋଳ ପରିବେଶ। ଜଗାକୁ ଦର୍ଶନ କରି ନପାରିବାର କୋହ ସେମାନଙ୍କୁ ବେଶୀ ବ୍ୟଥିତ କରିଥିଲା। ତେବେ ଜଗାର ଆର୍ଶୀବାଦ ହେଲେ ଆସନ୍ତାବର୍ଷ ପୁଣି ଶ୍ରୀକ୍ଷେତ୍ରକୁ ଆସି କାର୍ତ୍ତିକ ବ୍ରତ କରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ବୟସର ଅପରାହ୍‌ଣରେ ଥିବା ହବିଷ୍ୟାଳି ବୃଦ୍ଧାମାନ।

Habishyalis returned home Holy Kartik Month

ଗତ ଏକ ମାସ ମଧ୍ୟରେ ହବିଷ୍ୟାଳିମାନେ ପରସ୍ପର ମଧ୍ୟରେ କିଏ ସଙ୍ଗାତ ତ କିଏ ବଉଳ ତ ଆଉ କିଏ ମକର ବସିଛନ୍ତି। ଏବେ ଘର ବାହୁଡ଼ା ସମୟରେ ସେମାନଙ୍କ ଆଖିରୁ ଝରି ପଡୁଥିଲା ଲୁହ। ନିଜ ସାଥୀଙ୍କ ସହ ହସଖୁସି ଓ ଦୁଃଖ ବାଣ୍ଟି ଶେଷରେ ହବିଷ୍ୟାଳିମାନେ ଘରବାହୁଡ଼ା ହୋଇଛନ୍ତି।

ଏହି ଅବସରରେ ହବିଷ୍ୟାଳିମାନେ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାକୁ ପ୍ରଶଂସା କରିଥିଲେ। ଏକମାସ ମଧ୍ୟରେ ଆଶ୍ରୟସ୍ଥଳରେ କୌଣସି ଅସୁବିଧା ହୋଇନଥିବା ସେମାନେ କହିଛନ୍ତି।

Comment