ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍‌କୋ) ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଲିତ ଅଟୋ ଏବଂ ଏକ ପିସିଆର ଭ୍ୟାନର ଶୁଭାରମ୍ଭ କରିଛି। ବୁଧବାର କେନ୍ଦ୍ର ଖଣି ବିଭାଗର ଅତିରିକ୍ତ ସଚିବ କେ ରାଜେଶ୍ୱର ରାଓ ଏବଂ ନାଲକୋ ସିଏମଡି ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ପୁରୀ ପ୍ରଶାସନକୁ ଏହା ପ୍ରଦାନ କରାଯାଇଛି।

ପୁରୀ ମେଫେୟାର ହୋଟେଲ୍‌ ସାମ୍ନାରେ କେନ୍ଦ୍ର ଖଣି ବିଭାଗର ଅତିରିକ୍ତ ସଚିବ ଓ ନାଲ୍‌କୋ ସିଏମଡି ତପନ ଚାନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହି ବ୍ୟାଟେରୀ ଅଟୋ ଓ ପିସିଆର ଭ୍ୟାନ ସେବାରେ ନିୟୋଜିତ ହୋଇଥିଲା। ବ୍ୟାଟେରୀ ଅଟୋ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇବା ଭଳି କାର୍ଯ୍ୟରେ ଲାଗିବ।

ସେହିପରି ତିନିବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ମଧ୍ୟ ମନ୍ଦିର ଯିବା ପାଇଁ ସହଯୋଗ କରିବ ବୋଲି ନାଲକୋ ସିଏମଡି ତପନ ଚାନ୍ଦ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପିସିଆର ଭ୍ୟାନ ଦେବାପାଇଁ ପୋଲିସ ବିଭାଗରୁ ପ୍ରସ୍ତାବ ରହିଥିଲା। ପୁରୀର ବିକାଶ କ୍ଷେତ୍ରରେ ନାଲକୋ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବ ବୋଲି ନାଲକୋ ସିଏମଡି ତପନ ଚାନ୍ଦ କହିଥିଲେ।

ଏହି ନୂଆ ୫ଟି ବ୍ୟାଟେରୀ ଅଟୋ ସହିତ ନାଲ୍‌କୋ ପକ୍ଷରୁ ମୋଟ ୧୨ଟି ଗାଡ଼ି ପ୍ରଶାସନକୁ ଦିଆଯାଇଛି। ଏହା ପୂର୍ବରୁ ଦିଆଯାଇଥିବା ୫ଟି ବ୍ୟାଟେରୀ ଅଟୋ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ସେବାରେ ଲାଗିଥିବା ବେଳେ ଷ୍ଟେସନରେ ମଧ୍ୟ ଦୁଇଟି ବ୍ୟାଟେରୀ ଅଟୋ ଲାଗିଛି। ପୁରୀକୁ ଆଇକନିକ ସିଟି ଯୋଜନାରେ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସହଯୋଗ କରାଯିବ ବୋଲି ନାଲ୍‌କୋ ସିଏମ୍‌ଡି ତପନ ଚାନ୍ଦ କହିଥିଲେ।

Comment