ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି। ହେଲେ ବିଡ଼ମ୍ବନାର ବିଷୟ ଏହି ୪୦ ଜଣିଆ ତାଲିକାରେ ଏଆଇସିସି ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ନାହିଁ।

ଏହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ଅଛି। ହେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ କାହିଁକି ନାହିଁ ତାକୁ ନେଇ କାରଣ ଖୋଜା ଚାଲିଛି।

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା କଂଗ୍ରେସ ରାଜନୀତିରେ ସକ୍ରିୟ ହୋଇଥିଲେ। ଦଳ ତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱରେ ରଖିଥିଲା। ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ କଂଗ୍ରେସ କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚରିତ ହୋଇଥିଲା। ପ୍ରିୟଙ୍କାଙ୍କୁ କିଛି କର୍ମୀ କଂଗ୍ରେସର ମଙ୍ଗ ଧରାଇବାକୁ ଦାବି କରିଥିଲେ।

ଉତ୍ତରପ୍ରଦେଶର କିଛି ସ୍ଥାନରେ ମଧ୍ୟ ପ୍ରିୟଙ୍କା କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ପ୍ରିୟଙ୍କାଙ୍କ ନାଁ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଥିଲା। ହେଲେ ଝାଡ଼ଖଣ୍ଡ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରିୟଙ୍କାଙ୍କ ନାଁ ନଥିବାରୁ ରାଜନୀତି କରିଡରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।

ଝଡ଼େଖଣ୍ଡରେ କଂଗ୍ରେସ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ଲାଲୁ ଯାଦବଙ୍କ ଆର୍‌ଜେଡି ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ୮୧ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୩୧ଟି ଆସନରେ ଲଢୁଥିବା ବେଳେ ଜେଏମ୍‌ଏମ୍‌ ୪୩ ଏବଂ ଆର୍‌ଜେଡି ୭ଟି ଆସନରେ ଲଢ଼ୁଛି।

Comment