ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ଉଠୁଥିଲା ପଡୁଥିଲା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏଥିପାଇଁ ଗୃହ ଅଚଳ ହୋଇଥିଲା। ହେଲେ ଏ ସମ୍ପର୍କରେ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

‘‘ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଛି ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ। ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରୂପେଶ ଭଦ୍ରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ମିଳିଥିବାରୁ ତାଙ୍କୁ ଗିରଫ କରାଯାଇଛି। ଦଫା ୩୦୬ରେ ତାଙ୍କୁ ଗିରଫ କରାଯାଇଛି। ରୂପେଶ ଏବେ ଜେଲ୍‌ରେ। ତଦନ୍ତ ଚାଲୁ ରହିଛି’’, କହିଛନ୍ତି ଦିବ୍ୟଶଙ୍କର ମିଶ୍ର।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ ରହିଥିଲା। ଏହାକୁ ହତ୍ୟାକାଣ୍ଡ କହିବା ସହ ଏହା ପଛରେ ବିଜେଡି ନେତାଙ୍କ ହାତ ଥିବା ଅଭିଯୋଗ କରିଥିଲେ ବିରୋଧୀ।

ବିଧାନସଭା ଆରମ୍ଭରୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରଶ୍ନକାଳ ବାତିଲ କରି ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ।

Comment