ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ହାଇଟେକ୍ ଗ୍ରୁପ୍‌ ଅଫ କମ୍ପାନିର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ ଅଡୁଆ ବଢିଲା। ତାଙ୍କ ବିରୋଧରେ ଚିଟଫଣ୍ଡ ଠକେଇ ନେଇ ଯେଉଁସବୁ ମାମଲା ରହିଛି ତାହାର ବିଚାର ଚାଲିବ। ଏନେଇ ନିମ୍ନ ଅଦାଲତ ଯେଉଁ ଆଦେଶ ଦେଇଥିଲେ ତାହାକୁ ହାଇକୋର୍ଟ ଆଜି କାଏମ ରଖିଛନ୍ତି। ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ତିରୁପତି ପାଣିଗ୍ରାହୀଙ୍କ ପକ୍ଷରୁ ରୁଜୁ ମାମଲାକୁ ଖାରଜ କରି  ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆରେ ତିରୁପତି ପାଣିଗ୍ରାହୀଙ୍କ କମ୍ପାନି ଲୋକଙ୍କଠାରୁ ପ୍ରାୟ ୬୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲେ।ଏହି ଅଭିଯୋଗ ଆଧାରରରେ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତ, ହାଇକୋର୍ଟରୁ ଜାମିନ୍ ଖାରଜ ହେବାପରେ ତିରୁପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ଜାମିନ୍ ଦେବା ଅବସରରେ ସର୍ତ୍ତ ସ୍ୱରୂପ ୬୩କୋଟି ଟଙ୍କା ଜମା କରିବା ଲାଗି ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତିରୁପତି ପାଣିଗ୍ରାହୀ ୬୩ କୋଟି ଟଙ୍କା ଜମା କରିବା ପରେ ଜାମିନରେ ବାହାରିଥିଲେ। ଏହାପରେ ତାଙ୍କ ବିରୋଧରେ ସ୍ୱତନ୍ତ୍ର ଅଦାଲତରେ ଚାଲୁଥିବା ୪ଟି ମାମଲାକୁ ବନ୍ଦ କରିବା ଲାଗି ସେ ନିମ୍ନ ଅଦାଲତରେ ଏକ ପିଟିସନ୍ ଫାଇଲ୍ କରିଥିଲେ।

ପିଟିସନରେ ଯୁକ୍ତି ଦର୍ଶାଯାଇଥିଲା ଯେ, ଆବେଦନକାରୀ ଶ୍ରୀ ପାଣିଗ୍ରାହୀଙ୍କ  ବିରୋଧରେ ଲୋକଙ୍କଠାରୁ ୬୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସେ ଇତିମଧ୍ୟରେ ୬୩ କୋଟି ଟଙ୍କା ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରି ସାରିଛନ୍ତି। ତେଣୁ ତାଙ୍କ ବିରୋଧରେ ଚାଲୁଥିବା ମାମଲା ରବ୍ଦ କରାଯାଉ। କିନ୍ତୁ ନିମ୍ନ ଅଦାଲତ ଏହି ଯୁକ୍ତି ଗ୍ରହଣ ନକରି ପିଟିସନ ଖାରଜ କରି ଦେଇଥିଲେ।

ଏହି ଆଦେଶ ବିରୋଧରେ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ମଧ୍ୟ ତାଙ୍କର ସମାନ ଯୁକ୍ତି ଥିଲା। କିନ୍ତୁ ହାଇକୋର୍ଟ ଏହାକୁ ଗ୍ରହଣ ନକରି ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିଲେ।

Comment