ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେବେ ହେବ ନାଥୁରାମ ଗଡ୍‌ସେଙ୍କ ମନ୍ଦିର ନିର୍ମାଣ? ଏମିତି ପ୍ରଶ୍ନ ଆଜି ବିଧାନସଭାରେ ପଚାରି ସରକାରଙ୍କୁ ଘେରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ବିଧାନସଭାରେ ଆଜି ରାଜସ୍ୱ ବିଭାଗ ଉପରେ ଆଲୋଚନା ଚାଲିଥିଲା। ଏହି ସମୟରେ ନିଜ ଆସନରେ ଛିଡ଼ା ହୋଇଥିଲେ ନରସିଂହ ମିଶ୍ର। ଆଲୋଚନା ଚାଲିଥିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ରାଜ୍ୟ ସରକାର କରିଥିବା ଲିଫ୍‌ଲେଟ୍‌ରେ ବିଭ୍ରାନ୍ତିକର ତଥ୍ୟ ଥିବା କହିଥିଲେ।

ଏହି ଲିଫ୍‌ଲେଟ୍‌ରେ ୧୯୪୮ ମସିହା ଜାନୁଆରି ୩୦ରେ ଏକ ଆକସ୍ମିକ ଘଟଣାକ୍ରମରେ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ନାଥୁରାମ ଗଡ୍‌ସେ ଗୁଳି କରି ହତ୍ୟା କରିଥିବା ଉଲ୍ଲେଖ ନଥିବାରୁ ଏହାକୁ ଅସ୍ତ୍ର କରିଥିଲେ ନରସିଂହ। ଏଣୁ ଗଡ୍‌ସେଙ୍କ ମନ୍ଦିର କେବେ ନିର୍ମାଣ କରୁଛ ବୋଲି ସରକାରଙ୍କୁ ପ୍ରଶ୍ନ କରି କଟାକ୍ଷ କରିଥିଲେ।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୁସ୍ତିକା ସମସ୍ତ ସ୍କୁଲରେ ବଣ୍ଟନ କରାଯାଇଥିଲା। ଏଥିରେ ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ କାହିଁକି ସଠିକ୍‌ ତଥ୍ୟ ଉପସ୍ଥାପନ କରାଯାଇନି ବୋଲି ପ୍ରଶ୍ନ କରିଥିଲେ ନରସିଂହ।

‘‘ବିଜେଡି-ବିଜେପି ଭିତରେ ସଲାସୁତୁରା ଚାଲିଛି। ରାଜ୍ୟ ସରକାରଙ୍କ ଜାଣତରେ ଏଭଳି ଭୁଲ ହୋଇଛି ନା ଅଜାଣତରେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ନହେଲେ କଂଗ୍ରେସ ଏହାକୁ ନେଇ ପ୍ରତିବାଦ କରିବ’’, କହିଛନ୍ତି ନରସିଂହ ମିଶ୍ର।

ଏହି ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଏନେଇ ଉତ୍ତର ଦେବାକୁ ଦାବି କରିଥିଲା କଂଗ୍ରେସ। ହେଲେ ମନ୍ତ୍ରୀ ଉତ୍ତର ଦେଇ ନାହାନ୍ତି। ଏ ସମ୍ପର୍କରେ ଉତ୍ତର ରଖିବାକୁ ବାଚସ୍ପତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment