ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ରାସ୍ତା ଏକ ପ୍ରକାର ସଫା ହୋଇଛି। ତିନି ଦଳ ଏନସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ନ୍ୟୁନତମ ନିଶ୍ଚିତ କାର୍ଯ୍ୟକ୍ରମର ରୂପରେଖ ନେଇ ସହମତି ପ୍ରକାଶ ପାଇବା ପରେ ଏହି ତିନି ଦଳର ନେତା ଶନିବାର ରାଜ୍ୟପାଳ କୋଶ୍ୟାରୀଙ୍କୁ ଭେଟି ସରକାର ଗଠନ ଦାବି କରିବାର ସମ୍ଭାବନା ରହିଛି।

ଖବର ଅନୁସାରେ ସରକାର ଗଠନରେ ଅଧିକ ବିଳମ୍ବ ନକରି ଯେତେ ଶୀଘ୍ର ଶପଥ ଗ୍ରହଣ କରିବା ପାଇଁ ସମୟ ମଗାଯିବା ଦରକାର ବୋଲି ତିନି ଦଳର ନେତା ନିଷ୍ପତ୍ତି ନେଇଥିଲେ। ନ୍ୟୁନତମ କାର୍ଯ୍ୟକ୍ରମରେ ୪୦ଟି କଥା ରହିଥିବା ବେଳେ ମନ୍ତ୍ରୀ ମଣ୍ଡଳର ରୂପରେଖ କ’ଣ ହେବ ସେ ନେଇ ମଧ୍ୟ ସବୁ କଥା ଛିଣ୍ଡିଛି।

ଶୁଣାଯାଉଛି ମନ୍ତ୍ରିମଣ୍ଡଳରେ ଶିବସେନାର ୧୬, ଏନ୍‌ସିପିର ୧୪ ଓ କଂଗ୍ରେସର ୧୨ କ୍ୟାବିନେଟ ମନ୍ତ୍ରୀ ରହିବେ। ବିଧାନସଭା ବାଚସ୍ପତି ପଦ କଂଗ୍ରେସକୁ ଯିବ। ଉପବାଚସ୍ପତି ପଦ ଶିବସେନାକୁ ମିଳିପାରେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ଯଦି ଶିବସେନାର କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟ ଦୁଇ ଦଳର ଜଣେ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ରହିବେ। ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ଜନ୍ମ ଦିନ ନଭେମ୍ବର ୧୭ରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା ଏକ ରକମ ନିଶ୍ଚିତ ବୋଲି କୁହାଯାଉଛି।

Comment