ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭାରେ ବାଚସ୍ପତି ଓ ବିରୋଧୀ ଦଳ ଉପନେତା କଥା କଟାକଟି।

ଗତ ଚାରି ଦିନ ହେଲା ବିଧାନସଭାର ଶୀତ ଅଧିବେଶନ ଚାଲିଛି। ହେଲେ ଗତ ତିନି ଦିନ ଅପେକ୍ଷା ଚତୁର୍ଥ ଦିନର କାର୍ଯ୍ୟଦିବସ ଥିଲା ଭିନ୍ନ। କାରଣ ଗୃହ ଆରମ୍ଭରୁ ହିଁ ବିରୋଧୀ ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରି ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ତେବେ ଚତୁର୍ଥ ଦିନର କାର୍ଯ୍ୟଦିବସ ଆରମ୍ଭରୁ ଏମିତି କ’ଣ ଘଟିଲା ଯେ ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କଲେ ଜାଣନ୍ତୁ।

୧୦ଟା୩୦ରେ ଆରମ୍ଭ ହୋଇଥିଲା ବିଧାନସଭାର କାର୍ଯ୍ୟକାଳ। ସବୁ ବିଧାୟକ ଗୃହରେ ପ୍ରବେଶ କରିବା ପରେ ବାଚସ୍ପତି ତାଙ୍କ ଆସନକୁ ଆସିଥିଲେ। ହେଲେ ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ରହିଥିଲେ। ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ପ୍ରତିବାଦ କରିଥିଲେ।

ବିଜେପି ବିଧାୟକମାନଙ୍କୁ ବସିବାକୁ ଅନୁରୋଧ କରିଥିଲେ ବାଚସ୍ପତି। ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କ ଅନୁରୋଧକୁ ଶୁଣି ନଥିଲେ। ଆମକୁ କହିବାକୁ ସୁଯୋଗ ମିଳୁ ନଥିବାରୁ ଆମେ ପ୍ରତିବାଦ ଜାରି ରଖିବୁ ବୋଲି କହିଥିଲେ ବିଷ୍ଣୁ। ଏହାକୁ ନେଇ ବାଚସ୍ପତି ଏବଂ ବିଷ୍ଣୁଙ୍କ ଭିତରେ କିଛି ସମୟ ପାଇଁ କଥା କଟାକଟି ଚାଲିଲା। ବିଜେପି ବିଧାୟକମାନେ ନଶୁଣିବାରୁ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ।

ଏହାର ପ୍ରତିବାଦ କରିଥିଲେ ବିଜେପି ବିଧାୟକ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରି ବାହାରକୁ ଚାଲି ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ବିରୋଧୀ ଦଳ ବିଧାୟକଙ୍କୁ ମନାଇବା ପାଇଁ ଆସିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଉପନେତା ବିଷ୍ଣୁ ସେଠୀଙ୍କ ସହ କଥା ହୋଇଥିଲେ। ବିଧାନସଭାକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। ହେଲେ କିଛି ଫରକ ପଡ଼ି ନଥିଲା। ବିରୋଧୀ ଦଳ ନେତା ତାଙ୍କ ଅସନ୍ତୋଷ ଜାହିର କରିଥିଲେ।

‘‘ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଜେପି ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ଆସିଥିଲୁ। ବାଚସ୍ପତି ଯାହା କହିଥିଲେ ଆମେ ତାଙ୍କୁ ଜଣାଇଛୁ। ଆମେ ସବୁବେଳେ ବିରୋଧୀ ଦଳକୁ ସହଯୋଗ କରି ଆସିଛୁ। ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲୁ ବୋଲି ଆମେ ଚାହୁଁଛୁ’’, କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

‘‘ବିରୋଧୀ ଦଳକୁ ଉଚିତ୍‌ ସମ୍ମାନ ମିଳୁନି। ଯଦି ସରକାରଙ୍କର ଆନ୍ତରିକତା ଥାନ୍ତା ତାହାଲେ ଆମକୁ ବୁଝାଇବା ପଇେଁ ତିନି ଘଣ୍ଟା ଲାଗି ନଥାନ୍ତା। ଆମେ ୧୦ଟା୪୦ରୁ ଗାନ୍ଧୀ ମୂର୍ତ୍ତି ତଳେ ବସିଛୁ। ହେଲେ ସରକାରୀ ଦଳର ମୁଖ୍ୟ ସଚେତକ ୧ଟା୪୦ରେ ଆମ ପାଖକୁ ଆସିଲେ। ଏଥିରୁ ଜଣାପଡୁଛି ସେମାନଙ୍କର ଆନ୍ତରିକତା କେତେ?’’, କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ତିନି ଦିନ ହେଲା ବିଧାନସଭାରେ ଝଡ଼ ବହୁଛି। ଏହି ପ୍ରସଙ୍ଗରେ ଏକ ମୋସନ ଆଣିବାକୁ ବିରୋଧୀ ଦଳ ଚାହୁଁଥିଲେ। ସିବିଆଇ ତଦନ୍ତ ସହ ଯାଜପୁର ଏସ୍‌ପି ଏବଯ ମହିଳା କମିସନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଥିଲେ। ହେଲେ ବାଚସ୍ପତି ଏହାକୁ ଗ୍ରହଣ କରି ନଥିଲେ।

ଗତକାଲି ବିରୋଧୀ ଦଳ ସଭ୍ୟମାନେ କଳାପଟି ବାନ୍ଧି ବିଧାନସଭାକୁ ଆସିଥିଲେ। ହେଲେ ଆଜି କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ।

LEAVE A REPLY

Please enter your comment!
Please enter your name here