ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗଣଶିକ୍ଷା ବିଭାଗର ବିଚିତ୍ର ନୀତି। ପୁସ୍ତିକାରେ ଗାନ୍ଧୀ ମୃତ୍ୟୁକୁ ‘ଆକସ୍ମିକ ଘଟଣା’ ଲେଖିବାକୁ ନେଇ ଝଡ଼।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ହତ୍ୟା କରିଥିଲେ? ଏହି କଥା ଯଦି ଯେ କୌଣସି ଲୋକଙ୍କୁ ପଚରାଯାଏ ତାହାଲେ ସେ ନାଥୁରାମ ଗଡ୍‌ସେଙ୍କ ନାଁ ହିଁ କହିବ। ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଛପା ଯାଇଥିବା ପୁସ୍ତିକାରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣାକ୍ରମରେ ହୋଇଥିବା ଉଲ୍ଲେଖ କରାଯାଇଛି।

ଗଣଶିକ୍ଷା ବିଭାଗ ଏମିତି ଭୁଲ୍‌ କେମିତି କଲା ତାକୁ ନେଇ ଝଡ଼ ଉଠିବା ପରେ ବିଧାନସଭାରେ ମନ୍ତ୍ରୀ ସଫେଇ ଦେଇ ଦୋଷ ଢାଙ୍କିବାକୁ ଚେଷ୍ଟା କରିଛନ୍ତି।

‘‘ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ କୌଣସି ଭୁଲ୍‌ ତଥ୍ୟ ଦେବା ଆମର ଉଦ୍ଦେଶ୍ୟ ନଥିଲା। ଏହା ଅନିଛାକୃତ ତ୍ରୁଟି। ଏହି ପୁସ୍ତିକାକୁ ଆମେ ସବୁ ସ୍କୁଲରୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛୁ। ଏହାସହ ଏହି ତ୍ରୁଟି ପାଇଁ ବିଭାଗ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି’’, ଏହା ହେଉଛି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ମନ୍ତବ୍ୟ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ – ଏକ ଝଲକ’ ପୁସ୍ତିକା ଛପା ଯାଇ ସବୁ ସ୍କୁଲରେ ବଣ୍ଟନ କରାଯାଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଏହି ପୁସ୍ତିକା ବଣ୍ଟନ କରାଯାଇଥିଲା। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଗୋଟିଏ ପୃଷ୍ଠା ଏବଂ ପଞ୍ଚମରୁ ୧୦ମ ପିଲାଙ୍କୁ ତିନି ପୁଷ୍ଠାର ପୁସ୍ତିକା ବଣ୍ଟନ କରାଯାଇଥିଲା। ହେଲେ ଏହି ପୁସ୍ତିକାକୁ ନେଇ ଗତ ଦୁଇ ଦିନ ହେଲା ରାଜ୍ୟରେ ଝଡ଼ ବହୁଛି।

ପୁସ୍ତିକାରେ ଲେଖାଯାଇଛି ଯେ ୧୯୪୮ ଜାନୁଆରି ୩୦ରେ ଦିଲ୍ଲୀ ବିର୍ଲା ହାଉସ୍‌ରେ ଏକ ଆକସ୍ମିକ ଘଟଣାକ୍ରମରେ ଗାନ୍ଧିଜୀଙ୍କର ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗକୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ବିଧାନସଭାରେ ଉଠାଇଥିଲେ। ସରକାରଙ୍କୁ କଟାକ୍ଷ କରି ନାଥୁରାମ ଗଡ୍‌ସେଙ୍କ ମନ୍ଦିର ନିର୍ମାଣ କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରାଯାଇଥିଲା। ବିଧାନସଭାରେ ମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ଏବେ ଏହି ପୁସ୍ତିକାକୁ ସବୁ ସ୍କୁଲରୁ ଫେରାଇ ଆଣିବାକୁ ମନ୍ତ୍ରୀ ଡିଇଓ ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଣି ଥରେ ପୁସ୍ତିକା ଛାପି ସ୍କୁଲମାନଙ୍କୁ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନିଚ୍ଛାକୃତ ନା ଇଚ୍ଛାକୃତ?

ଗତ କିଛି ମାସ ତଳେ ବିଜେପି ନେତା ସାଧ୍ୱୀ ପ୍ରଜ୍ଞା ନାଥୁରାମ ଗଡ୍‌ସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ନାଥୁରାମଙ୍କ ଦେଶଭକ୍ତ କହି ଅଡୁଆରେ ପଡ଼ିଥିଲେ। ଏନେଇ ସାଧ୍ୱୀଙ୍କୁ ବିଜେପି କାରଣ ଦର୍ଶାଅ ନୋଟିସ୍‌ ପଠାଇଥିଲା। ଏବେ ଓଡ଼ିଶାରେ ବିଜେଡି ସରକାର ଚାଲିଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ଛପା ଯାଇଥିବା ପୁସ୍ତିକାରୁ ‘ନାଥୁରାମ’ଙ୍କ ନାଁ ହଟା ଯିବାକୁ ନେଇ ଚର୍ଚ୍ଚା ବଢ଼ିଛି। ଏହା ଅନିଚ୍ଛାକୃତ ନା ଇଚ୍ଛା କୃତ ତାହା କେବଳ ଗଣଶିକ୍ଷା ବିଭାଗ ଏବଂ ପୁସ୍ତିକାର ସମ୍ପାଦନା ମଣ୍ଡଳୀଙ୍କୁ ହିଁ ଜଣାଥିବ।

ସବୁଠୁ ବଡ଼ କଥା ହେଉଛି ଗାନ୍ଧୀ ଜୟନ୍ତୀ ପୂର୍ବରୁ ଏହି ପୁସ୍ତିକା ବଣ୍ଟନ କରିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ଇତି ମଧ୍ୟରେ ଗାନ୍ଧୀ ଜୟନ୍ତୀ ଶେଷ ହେବାର ଦେଢ଼ ମାସ ବିତି ଗଲାଣି। ହେଲେ ଏଭଳି ଭୁଲ୍‌ କେମିତି ଗଣଶିକ୍ଷା ବିଭାଗର ଅଧିକାରୀ ଏବଂ ବିଭାଗ ସହ ଜଡ଼ିତ ବ୍ୟକ୍ତିମାନଙ୍କ ଆଖିରୁ ଖସିଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୋଷ ଘୋଡ଼ାଇବା ପାଇଁ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲେ ଏହା ପଛରେ ସତ କ’ଣ ତାହା ସାମ୍ନାକୁ ଆସିବା ଦରକାର ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ଗଣଶିକ୍ଷା ବିଭାଗର ଭୁଲ୍‌କୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେଡି ଏବଂ ବିଜେପିକୁ ତୀର ମାରିଛନ୍ତି। ଉଭୟଙ୍କ ସଲାସୁତୁରାରେ ଏଭଳି କାମ ହୋଇଥିବା ନରସିଂହ କହି ରାଜନୀତିକୁ ଗରମ କରିଛନ୍ତି।

ପୁନଃମୁଦ୍ରଣ ପାଇଁ କେଉଁଠୁ ଆସିବ ଟଙ୍କା?

ରାଜ୍ୟରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ପ୍ରାୟ ୬୦ ଲକ୍ଷ ପିଲା ପାଠ ପଢୁଛନ୍ତି। ୬୦ ଲକ୍ଷ ପିଲାଙ୍କୁ ବିଭିନ୍ନ ସ୍କୁଲରେ ଏହି ପୁସ୍ତିକା ବଣ୍ଟା ଯାଇଥିବ। ଏବେ ଏହି ପୁସ୍ତିକା ଫେରାଇ ଆଣି ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ହେଲେ ପ୍ରଶ୍ନ ଉଠୁଛି ୬୦ ଲକ୍ଷ ପିଲାଙ୍କ ବଣ୍ଟା ଯାଇଥିବା ପୁସ୍ତିକା କେମିତି ଫେରିବ? ତାଛଡ଼ା ନୂଆ ପୁସ୍ତିକା ଛାପି ଆଉ ଥରେ ବାଣ୍ଟିବା ପାଇଁ ମନ୍ତ୍ରୀ କହିଛନ୍ତି। ହେଲେ ନୂଆ ପୁସ୍ତିକା ଛାପିବା ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେବ ତାହା କିଏ ଦେବ? ପୁସ୍ତିକା ବିଭିନ୍ନ ସ୍କୁଲରେ ଆଉ ଥରେ ପହଞ୍ଚାଇବା ପାଇଁ ଟ୍ରାପ୍ସପୋର୍ଟ ବାବଦରେ ଯେଉଁ ଖର୍ଚ୍ଚ ହେବ ତାହା କେମିତି ଭରଣା ହେବ? ଏ ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଦରକାର। ଗଣଶିକ୍ଷା ବିଭାଗର ଏହି ଭୁଲ୍‌ ପାଇଁ ରାଜ୍ୟ ରାଜକୋଷରୁ ଅଯଥାରେ ପୁଣି ଟଙ୍କା ଖର୍ଚ୍ଚ କରାଯିବା ଠିକ୍‌ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Comment