ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ସଂସଦରେ ଆଗତ ହେବ ବିଲ୍। ରବିବାର ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ଦଳର ନେତା ପୀନାକି ମିଶ୍ର ଦାବି ଜଣାଇଛନ୍ତି।
ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଅଧିବେଶନ କିଭଳି ସୁଚାରୁ ରୂପେ ଚାଲିବ ସେନେଇ ରବିବାର ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଏଥର ଶୀତ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲ୍ ଆଗତ କରିବାକୁ ବୈଠକରେ ବିଜେଡି ବିଧାୟକ ଦଳର ନେତା ପୀନାକି ମିଶ୍ର ଦାବି ଜଣାଇଛନ୍ତି।
ବୈଠକ ପରେ ପୀନାକି ମିଶ୍ର କହିଛନ୍ତି, “ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ଧାବି ରଖିଛୁ। ଏନେଇ ସର୍ବସମ୍ମତି କ୍ରମେ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଦାବି ରଖିଛୁ। ଓଡ଼ିଶାରେ ବିଧାନ ପରିଷଦ ହେଲେ ମହିଳା, ଏସ୍ଟି/ଏସ୍ସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ।”
ଏଥିସହିତ ଆଉ ଦୁଇଟି ବିଲ୍ର କପି ଆଗୁଆ ଦେବାକୁ ଦାବି କରାଯାଇଥିବା ପୀନାକି ମିଶ୍ର କହିଛନ୍ତି। ତାହା ହେଉଛି ମାଇନ୍ସ ଆଣ୍ଡ ମିନେରାଲ୍ସ ବିଲ୍ସ ଏବଂ ବିପର୍ଯ୍ୟୟ ମୁକାବିଲା ବିଲ୍ସ।
ଆୟୋଜିତ ଏହି ସର୍ବଦଳୀୟ ବୈଠକ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ବିଜେଡିର ଏହି ଆବେଦନରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।








