ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍) ପରୀକ୍ଷା-୨୦୧୯ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଓଡ଼ିଶା ଜୁଡିସିଆଲ ସର୍ଭିସ ଅନ୍ତର୍ଗତ ୫୧ଟି ସିଭିଲ୍‌ ଜଜ୍ ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଏବଂ ଉଚ୍ଛୁକ ପ୍ରାର୍ଥୀ ଆସନ୍ତା ଡିସେମ୍ବର ୧୨ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହାସହ ଅନଲାଇନ ଫିସ୍‌ ଭରିବାର ଶେଷ ତାରିଖ ୨୩ ଡିସେମ୍ଵର ପର୍ଯ୍ୟନ୍ତ ରଖାଯାଇଛି।

ଓଡ଼ିଶା ସରକାରଙ୍କ ଆଇନ୍‌ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ଓଜେଏସ୍ ପରୀକ୍ଷା-୨୦୧୯ ପାଇଁ ପ୍ରାର୍ଥୀ ଆସନ୍ତା ନଭେମ୍ବର ୧୯ରୁ ଡିସେମ୍ବର ୧୨ ଯାଏଁ ଆବେଦନ କରିପାରିବେ। ଏଥିପାଇଁ କେବଳ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯିବ। ଅଫ୍‌ଲାଇନ୍‌ ଆବେଦନ ଗ୍ରହଣୀୟ ନୁହେଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ତିନୋଟି ପର୍ଯ୍ୟାୟରେ ଓଜେଏସ୍ ପରୀକ୍ଷା ଆୟୋଜିତ ହେବ। ପ୍ରିଲିମିନାରୀ, ମେନ୍‌ ଏବଂ ଇଣ୍ଟରଭ୍ୟୁ। ପ୍ରିଲିମିନାରୀ ପରୀକ୍ଷାରେ ସଫଳ ହେଲେ ମେନ୍‌ ଏବଂ ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀଙ୍କୁ ସିଧାସଳଖ ସିଭିଲ୍‌ ଜଜ୍ ପଦବୀ ପାଇଁ ଚୟନ କରାଯିବ।

ପଦବୀ ସଂଖ୍ୟା

୫୧ଟି ସିଭିଲ୍‌ ଜଜ୍ ପଦବୀ ପାଇଁ ଓଜେଏସ୍ ପରୀକ୍ଷା-୨୦୧୯ ଆୟୋଜିତ କରାଯାଉଛି। ଏଥିମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୨ଟି ପଦ(୭ଟି ମହିଳା ପାଇଁ ସଂରକ୍ଷିତ) ରହିଛି। ସେହିପରି ଏସ୍‌ସି ପ୍ରାର୍ଥୀଙ୍କ ପାଇଁ ୮ଟି(୩ଟି ମହିଳା ପାଇଁ ସଂରକ୍ଷିତ) ଏବଂ ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୧୧ଟି ପଦ ରହିଛି। ଏଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ।

ସେହିପରି ଏସ୍‌ଇବିସି ପ୍ରାର୍ଥୀଙ୍କ ପାଇଁ ୬ଟି(୨ ମହିଳାଙ୍କ ପାଇଁ ସଂରକ୍ଷିତ) ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୨ଟି (୧ ମହିଳାଙ୍କ ପାଇଁ ସଂରକ୍ଷିତ) ରହିଛି। ଏହିପରି ଭାବେ ମୋଟ ୫୧ଟି ସିଭିଲ୍‌ ସର୍ଭିସ୍‌ ପଦ ପାଇଁ ଓଜେଏସ୍‌ ପରୀକ୍ଷା ଓଡ଼ିଶା ସରକାରଙ୍କ ଆଇନ୍‌ ବିଭାଗ ପକ୍ଷରୁ ଆୟୋଜିତ ହେଉଛି।

ବୟସ ସୀମା

ଓଜେଏସ୍‌ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ବୟସ ଅଗଷ୍ଟ ୨୦୧୯ ସୁଦ୍ଧା ୨୩ ବର୍ଷରୁ କମ୍‌ ଏବଂ ୩୫ ବର୍ଷରୁ ଅଧିକ ହୋଇନଥିବା ଦରକାର। ଅର୍ଥାତ୍‌ ୨୩ ବର୍ଷରୁ ୩୫ ବର୍ଷୀୟ ପ୍ରାର୍ଥୀ ଓଜେଏସ୍‌ ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଶ୍ଵବିଦ୍ୟାଳୟ ତଥା ସରକାରୀ ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ଆଇନ୍‌ରେ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା

ଓଜେଏସ୍‌ ପରୀକ୍ଷା ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନର ପକ୍ଷରୁ ଆୟୋଜିତ କରାଯାଉଛି। ଏଥିପାଇଁ ଆସନ୍ତା ନଭେମ୍ବର ୧୯ରୁ କେବଳ ଅନ୍‌ଲାଇନ୍‌ରେ ପ୍ରାର୍ଥୀପତ୍ର ଆବେଦନ ଗ୍ରହଣ କରାଯିବ। ପ୍ରାର୍ଥୀ ନଭେମ୍ବର ୧୯ରୁ http://opsc.gov.in/ କିମ୍ବା http://opsconline.gov.in/ରେ ଲଗ୍‌-ଇନ୍‌ କରି ଆବେଦନ କରିପାରିବେ।

ପରୀକ୍ଷା ତାରିଖ ଏବଂ ପରୀକ୍ଷା କେନ୍ଦ୍ର

ଆସନ୍ତା ୨୦୨୦ ବର୍ଷ ଫେବ୍ରୁଆରି ୨ରେ ଓଜେଏସ୍‌ ପରୀକ୍ଷା-୨୦୧୯ ଅନୁଷ୍ଠିତ ହେବ। ଏହି ଦିନ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ। ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟରେ ୫ଟି ଜୋନାଲ ସେଣ୍ଟର କରାଯାଇଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ନିଜର ପରୀକ୍ଷା କେନ୍ଦ୍ର ଲିଖିତ ରହିବ।

Comment