ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ର (ଏମ୍‌ସିଏଲ୍‌) ସିଏସ୍‌ଆର୍‌ ପୁସ୍ତିକା କମ୍ପାନିର ସିଏମ୍‌ଡି ବି ଏନ୍‌ ଶୁକ୍ଲାଙ୍କ ହାତରେ ଉନ୍ମୋଚିତ।

ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ‘ଏନ୍‌ରିଚିଂ ଲାଇଭ୍‌ସ, ଇମ୍‌ପ୍ୟାକ୍‌ଟିଂ କମ୍ୟୁନିଟିଜ୍‌’ ଶୀର୍ଷକ ସିଏସ୍‌ଆର୍‌ ରିପୋର୍ଟ ପୁସ୍ତିକା ସୋମବାର ଦିନ ଉନ୍ମୋଚିତ ହୋଇଛି। ସିଏମ୍‌ଡି ବି ଏନ୍‌ ଶୁକ୍ଲା ଏହି ପୁସ୍ତିକା ଉନ୍ମୋଚନ କରିଥିଲେ।

ଏହି ପୁସ୍ତିକାରେ ଏମ୍‌ସିଏଲ୍‌ର ୪୦ଟି ବଛା ବଛା ସିଏସ୍‌ଆର୍‌ ପ୍ରକଳ୍ପ ସ୍ଥାନ ପାଇଛି। ଏହି ସିଏସ୍‌ଆର୍‌ ପ୍ରକଳ୍ପଗୁଡ଼ିକର ସଫଳତାର ଚିତ୍ର ଏହି ଏଥିରେ ଦର୍ଶାଯାଇଛି।

ପୁସ୍ତିକା ଉନ୍ମୋଚନ ଅବସରରେ ଏମ୍‌ସିଏଲ୍‌ର ନିର୍ଦ୍ଦେଶକ (ଅର୍ଥ ଓ ମାନବ ସମ୍ବଳ) କେ ଆର୍‌ ବାସୁଦେବନ୍‌, ନିର୍ଦ୍ଦେଶକ (ଟେକ୍ନିକାଲ ଆଣ୍ଡ ଅପରେସନ୍‌) ଓ ପି ସିଂହ, ନିର୍ଦ୍ଦେଶକ (ପି ଆଣ୍ଡ ପି) କେ କେ ମିଶ୍ର, ସିଏସ୍‌ଆର୍‌ର ଜେନେରାଲ ମ୍ୟାନେଜର ବି ସାଇରାମ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପୁସ୍ତିକାରେ ଏମ୍‌ସିଲଏଲ୍‌ର ବିଭିନ୍ନ ସମାଜ କଲ୍ୟାଣ ପ୍ରକଳ୍ପ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ, ପ୍ରଗତି, ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ବିଭିନ୍ନ ପ୍ରକଳ୍ପର ଫଟୋଚିତ୍ର ମଧ୍ୟ ଏହି ପୁସ୍ତିକାରେ ସ୍ଥାନ ପାଇଛି। ଏହାସହ ରିପୋର୍ଟରେ ଉଲ୍ଲେଖ ଥିବା କିଛି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଆଉ କିଛି ପ୍ରକଳ୍ପ ଚାଲୁ ରହିଛି।

ସାମାଜିକ ଉତ୍ତର ଦାୟିତ୍ଵ କ୍ରମରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ପରିମଳରେ ସ୍ୱଚ୍ଛତା, ଜୀବିକା, ଶିକ୍ଷା, ମାତୃ ଓ ଶିଶୁ କଲ୍ୟାଣ, କଳା ଓ ସଂସ୍କୃତି ପ୍ରସାର ଆଦି କ୍ଷେତ୍ରରେ ଏମ୍‌ସିଏଲ୍‌ ପ୍ରଭାବୀ ଢଙ୍ଗରେ କାମ କରି ଆସୁଛି। ଏଥିପାଇଁ କମ୍ପାନିକୁ ମିଳିଛି ସମ୍ମାନଜନକ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ। ଭାରତ ସରକାରଙ୍କ କର୍ପୋରେଟ୍‌ ଆପାୟାର୍ସ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ଏହି ବିଶେଷ ସମ୍ମାନ ପ୍ରଦାନ ଉତ୍ସବ ଅକ୍ଟୋବର ୨୯ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହୋଇଥିଲା।

ଭାରତ ସରକାରଙ୍କ ନିୟମ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ସିଏସ୍‌ଆର୍‌ କ୍ଷେତ୍ରରେ ୧୨୨ କୋଟି ଟଙ୍କା ଖର୍ଚ୍ଚ କରିବାର ହିସାବ ରହିଥିଲା। ହେଲେ କମ୍ପାନି ଯଥେଷ୍ଟ ଆଗକୁ ଯାଇ ଦୁଇ ଗୁଣାରୁ ଅଧିକ ଅର୍ଥ ବ୍ୟୟ କରି ସିଏସ୍‌ଆର୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏହି ଆର୍ଥିକ ବର୍ଷରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ବାବଦରେ କମ୍ପାନି ୨୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

କେନ୍ଦ୍ର ସରକାରଙ୍କ କୋଲ୍‌ ଇଣ୍ଡିଆ ଅଧୀନରେ ଆସୁଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ହେଉଛି ଏକ ପ୍ରମୁଖ ଲାଭକାରୀ କମ୍ପାନି। ଏହା କୋଲ ଇଣ୍ଡିଆ ଲିମଟେଡର ୮ ସହାୟକ କମ୍ପାନି ମଧ୍ୟରୁ ଗୋଟିଏ। ଓଡ଼ିଶାରେ ଏହାର ବ୍ୟାପକ କାରବାର ରହିଛି।

ବିଭିନ୍ନ ଖଣିରୁ କୋଇଲା ଉତ୍ପାଦନ କରି ରାଜ୍ୟ ତଥା ବାହାରର ବିଭନ୍ନ ସରକାରୀ ତଥା ଘରୋଇ ଉଦ୍ୟୋଗକୁ ଏମସିଏଲ କୋଇଲା ଯୋଗାଇ ଆସୁଛି। ବିଶେଷକରି ଓଡ଼ିଶାରେ ଥିବା ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ କମ୍ପାନି ତଥା ଇସ୍ପାତ ଓ ଆଲୁମିନା ଭଳି ଭାରି ଶିଳ୍ପ କ୍ଷେତ୍ରରେ କୋଇଲାର ଯେଉଁ ଆବଶ୍ୟକତା ରହିଛି ତା’ର ଏକ ସିଂହ ଭାଗ ଯୋଗାଇଥାଏ ଏମସିଏଲ।

ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ରହିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଆଦି ଅଞ୍ଚଳରେ କମ୍ପାନିର କାର୍ଯ୍ୟ କ୍ଷେତ୍ର ରହିଛି।

Comment