ଓଡ଼ିଶାଲାଇଭ୍ ବ୍ୟୁରୋ

ଖରିଫ୍‌ ଧାନ କିଣାରେ ରାଜ୍ୟ ସରକାର କରିଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ। ଗତ ସୋମବାରଠାରୁ ଅତାବିରା ତହସିଲ ଅଫିସ୍‌ ଘେରାଉରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆଜି ଉଗ୍ର ରୂପ ଧାରଣ କରିଛି। ଚାଷୀମାନେ ସମ୍ବଲପୁରର ଚାରି ବିଧାୟକଙ୍କ ଘର ଘେରାଉ କରିଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ଝଡ଼ ବହିଥିଲା।

ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ପ୍ରଥମେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ବାସଭବନ ଘେରିଥିଲେ। ଏହାପରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ବାସଭବନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାସଭବନ, କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ବାସଭବନ ଘେରିଥିଲେ ଚାଷୀ। ଟୋକନ୍‌ ବ୍ୟବସ୍ଥାକୁ ପ୍ରତ୍ୟାହର କର, ନହେଲେ ଆନ୍ଦୋଳନ ତେଜିବ ବୋଲି ଚାଷୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏପଟେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ମଧ୍ୟ ଘେରାଉ କରିଥିଲେ ଚାଷୀ। ଜିଲ୍ଲାପାଳଙ୍କ ଅଫିସ୍‌ ଭିତରକୁ ଧସେଇ ପଶି ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପୋଲିସ ସହ ମଧ୍ୟ ଚାଷୀଙ୍କର ଧସ୍ତାଧସ୍ତି ହୋଇଥିଲା। ସେତିକିରେ କଥା ସରି ନଥିଲା, ଉତ୍ତ୍ୟକ୍ତ ଚାଷୀ ଜିଲ୍ଲା ଯୋଗାଣ ବିଭାଗରେ ବି ତାଲା ପକାଇଥିଲେ।

‘‘ସରକାର ଧାନ କିଣାରେ ଯେଉଁ ଟୋକନ୍‌ ବ୍ୟବସ୍ଥା କରିଛନ୍ତି ତାହା ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନହେଲେ ଆନ୍ଦୋଳନ ତେଜିବ। ଚାଷୀମାନେ ଧାନ ରାସ୍ତାରେ ଆଣି ଗଦେଇବେ। ସରକାର କେମିତି କିଣିବେ?’’ ଏହା କହିଛନ୍ତି ଆନ୍ଦୋଳନରତ ଚାଷୀ।

ଏପଟେ ବିଧାନସଭାରେ ମଧ୍ୟ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର କରି ପୂର୍ବରୁ ଯେମିତି ଧାନ କିଣା ଯାଉଥିବା ସେମିତି କରିବାକୁ ଦାବି କରିଛନ୍ତି ବିରୋଧୀ। ଅଭାବୀ ଧାନ ବିକ୍ରି, ଦଲାଲ ବ୍ୟବସ୍ଥା, ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ମନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି।

‘‘ଟୋକନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଧାନ ବିକ୍ରି ହୋଇପାରୁ ନାହିଁ। ମନ୍ତ୍ରୀ ଯେଉଁ ଉତ୍ତର ଦେଲେ ତାହା ସନ୍ତୋଷଜନକ ନୁହେଁ’’, କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

‘‘କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଆମେ ଟୋକନ୍‌ ବ୍ୟବସ୍ଥା କରିଛୁ। ସବୁଠି ଟୋକନ୍‌ ପହଞ୍ଚି ସାରିଛି’’, କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Comment