ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭା ଇତିହାସରେ ଆଜି ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କ୍ଷମା ମାଗିଛନ୍ତି। ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ କହିଛନ୍ତି ଯେ ‘ଆଇ ଆମ୍‌ ସରି’।

‘‘ବିରୋଧୀ ଦଳ ନେତା କ’ଣ କହିବାକୁ ଚାହୁଁଥିଲେ ତାହା ମୁଁ ବୁଝି ପାରିଲିନି। ସେଥିପାଇଁ ମୁଁ ଦୁଃଖିତ’’, କହିଥିଲେ ବାଚସ୍ପତି।

ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଧାନସଭାରେ ସୋମବାର ଅପରାହ୍‌ଣରେ କିଛି କହିବାକୁ ଚାହୁଁଥିଲେ। ହେଲେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇ ନଦେଇ ଗୃହ ମୁଲତବି କରିଦେଇଥିଲେ।

ଏଥିରେ ବିରୋଧୀ ଦଳ ନେତା କ୍ଷୁବ୍ଧ ହୋଇଥିଲେ। ବିଧାନସଭା ଚଳାଇ ଦିଆଯିବ ନାହିଁ ବୋଲି ବିଜେପି ବିଧାୟକମାନେ କହିଥିଲେ। ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ଅସହଯୋଗ କରିଥିଲେ।

ବିଧାନସଭା ଆରମ୍ଭ ହେବା ଦିନରୁ ବିଜେପି ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଆସୁଛି। ଏଥିସହ ଏକ ମୋସନ ଆଗତ କରିବାକୁ ଚାହୁଁଥିଲା। କିନ୍ତୁ ବାଚସ୍ପତି ଏଥିରେ ସହଯୋଗ ନକରିବାରୁ ବିଜେପି ବିଧାୟକମାନେ ପ୍ରତିବାଦ କରିଥିଲେ।

Comment