ଓଡ଼ିଶାଲାଇଭ୍ ବ୍ୟୁରୋ

ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦେଖାଦେଇଥିବା ଚାଷୀ ଆନ୍ଦୋଳନରେ ଟୁଇଷ୍ଟ ଆସିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍‌ରେ ଚାଷୀ ପ୍ରତିନିଧି ଏବଂ ସରକାରଙ୍କ ଦୁଇ ପ୍ରତିନିଧିଙ୍କ ଭିତରେ ହୋଇଥିବା ଆଲୋଚନା ସଫଳ ହୋଇଛି। ଟୋକନ୍‌ ବ୍ୟବସ୍ଥା ସରଳୀକରଣ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି।

ଗତ ତିନି ଦିନ ଧରି ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଅତାବିରାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ତେଜିଥିଲା। ସମ୍ବଲପୁରର ୪ ବିଧାୟକଙ୍କ ଘର ଆଗରେ ଚାଷୀ ଧାନ ରଖି ପ୍ରତିବାଦ କରିଥିଲେ। ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ବି ଘେରିଥିଲେ। ପଶ୍ଚିମ ଓଡ଼ିଶାର ଚାଷୀ ଆନ୍ଦୋଳନ ଆଜି କୋରାପୁଟ ଜିଲ୍ଲାକୁ ଡେଇଁଥିଲା।

ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ହେଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର ହେବ ନାହିଁ ବୋଲି ସଫା ସଫା କହିଥିଲେ। ହେଲେ ଚାଷୀ ତାଙ୍କ ଜିଦ୍‌ରେ ଅଟଳ ରହିବା ପରେ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସିଥିଲେ।

ସରକାରଙ୍କ ଦୁଇ ପ୍ରତିନିଧି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହି ପୂଜାରୀ ସମ୍ବଲପୁରରେ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚା କରିଥିଲେ।

‘‘ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ। ଏହାର ସରଳୀକରଣ କରାଯିବ। ଚାଷୀମାନଙ୍କ ଦାବି ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଯିବ। ଆଶା କରାଯାଉଛି ଆସନ୍ତାକାଲିଠୁ ଧାନ ବିକ୍ରି ସ୍ୱାଭାବିକ ହେବ’’, କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

Comment