ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟ ପୋଲିସ ମୁଖିଆ ପଦରୁ ହଟିଲେ ବି କେ ଶର୍ମା। ତାଙ୍କ ଜାଗାରେ କେନ୍ଦ୍ର ଡେପୁଟେସନରେ ଥିବା ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି ମିଳିଛି। ଅଭୟଙ୍କ ନୂଆ ନିଯୁକ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି।

ହେଲେ ବି କେ ଶର୍ମାଙ୍କୁ ଯେଉଁଭଳି ଭାବେ ମଙ୍ଗଳବାର ରାତିରେ ତରବରିଆ ଭାବେ ବିଦା କରାଗଲା ତାକୁ ନେଇ ସବୁଠି ପ୍ରଶ୍ନବାଚୀ ଉଠିଛି। ରାଜ୍ୟ ସରକାରଙ୍କ ଗୁଡ୍‌ବୁକ୍‌ରେ ଥିବା ବି କେ ଶର୍ମାଙ୍କୁ ରାଜ୍ୟ ସରକାର ହଠାତ୍‌ କାହିଁକି ପୋଲିସ ମୁଖିଆ ପଦବୀରୁ ବିଦା କରିଦେଲେ ତାହା ଏବେ ସମସ୍ତଙ୍କ ମନରେ କେଁ ହୋଇ ରହିଛି। କେବଳ ସେତିକି ନୁହେଁ, ବି କେ ଶର୍ମାଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଡିଜି ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି।

ତେବେ ରାଜ୍ୟ ସରକାର ବି କେ ଶର୍ମାଙ୍କୁ ଏମିତି ରାତି ଅଧିଆ କାହିଁକି ଦୁଇ ଦୁଇଟି ମୁଖିଅା ପଦବୀରୁ ହଟାଇଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି ବି କେ ଶର୍ମା ଅଗ୍ନିଶମ ଡିଜି ଥିବା ବେଳେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରମାଣପତ୍ର ପାଇଁ ଆବେଦନ କରୁଥିଲେ ମଧ୍ୟ ତାହା ସହଜରେ ମିଳୁ ନଥିଲା। ଦୀର୍ଘ ଦିନ ଧରି ପଡି ରହୁଥିଲା। ଏହି କାରଣ ପାଇଁ ବି କେ ଶର୍ମାଙ୍କୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଅସଲ କାରଣ ଭିନ୍ନ ବୋଲି ଆଲୋଚନା ହେଉଛି।

ନିର୍ବାଚନ ବେଳେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ଜାଗାରେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଥିବା ବି କେ ଶର୍ମାଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ପୋଲିସ ଡିଜି ପଦବୀ ପାଇଁ ଅନ୍ୟ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ଚର୍ଚ୍ଚାରେ ରହିଥିଲେ ମଧ୍ୟ ରାଜ୍ୟ ସରକାର ଶର୍ମାଙ୍କ ନାଁରେ ମୋହର ମାରିଥିଲେ।

ନିର୍ବାଚନ ଶେଷ ହେଲା। ବିଜେଡି ସରକାର ଗଠନ କଲା। ନୂଆ ସରକାର ଆସିବା ପରେ 5-Tକୁ ଅଭିଯାନ ଆରମ୍ଭ କଲେ ରାଜ୍ୟ ସରକାର। ଏହା ଅଧିନରେ ‘ମୋ ସରକାର’ ବି ଆରମ୍ଭ ହେଲା। ମୋ ସରକାର ଅଧିନରେ ରାଜ୍ୟ ସରକାର ଥାନା ଏବଂ ଡାକ୍ତରଖାନାକୁ ଫୋକସ୍‌ରେ ରଖିଲେ। ଦୁର୍ନୀତିଗ୍ରସ୍ତ ଥାନା ବାବୁଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ହେଲେ ଏବେ ପୋଲିସ ଡିଜି ଏହି ଫାଶରେ ପଡ଼ିଥିବା କୁହାଯାଉଛି।

ପୋଲିସ ଡିଜି ବଦଳିବାକୁ ନେଇ ଆଉ ଗୋଟିଏ ଚର୍ଚ୍ଚା ମଧ୍ୟ ହେଉଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦ ପୂରଣ ପାଇଁ କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ତିନି ଜଣିଆ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା। ମଙ୍ଗଳବାର ତିନି ଜଣ ଆଇପିଏସ୍‌ ଅଫିସରଙ୍କ ନାଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା। ଏହି ସମ୍ଭାବନା ତାଲିକାରେ ଅଭୟ, ପ୍ରଦୀପ କାପୁର ଓ ବିଜୟ ଶର୍ମାଙ୍କ ନାମ ରହିଥିଲା। ବି କେ ଶର୍ମା ପୂର୍ଣ୍ଣକାଳୀନ ଡିଜି ହେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ରାତାରାତି ସବୁ ବଦଳି ଯାଇଛି। ଏହା ପଛରେ ରାଜନୀତିର ବାସ୍ନା ରହିଥିବା ଆଲୋଚନା ହେଉଛି।

Comment