ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ଡିଜି ବି କେ ଶର୍ମାଙ୍କୁ ରାତାରାତି ବଦଳାଇବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ମିଡିଆ ସେଲ୍‌ ମୁଖ୍ୟ ସତ୍ୟପ୍ରକାଶ ନାୟକ ସରକାରଙ୍କୁ ସମାଲୋଚନା କରିଛନ୍ତି।

ପୋଲିସ ଅଧିକାରୀମାନଙ୍କୁ ସରକାର ଡିଜି କରୁଛନ୍ତି। ହେଲେ କାମ ସରିଗଲା ପରେ ଅପମାନଜନକ ଭାବେ ବିଦା କରି ଦେଉଥିବା ସତ୍ୟ ନାୟକ କହିଛନ୍ତି। ଏମିତି ପ୍ରହସନ ସରକାର ବନ୍ଦ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ, କାଳିଆ ଟଙ୍କା ହେର୍‌ଫେର୍‌ ଓ ଧାନ କିଣାରେ ବିଫଳତାରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ଏଭଳି ଡ୍ରାମାବାଜି କରିଥିବା ସେ କହିଛନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ଡିଜି ବଦଳିକୁ ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ବି କେ ଶର୍ମାଙ୍କୁ ଯେତେବେଳେ ନିଯୁକ୍ତି ଦିଆଗଲା ସେତେବେଳେ ରାଜ୍ୟ ସରକାର କ’ଣ ଜାଣି ନଥିଲେ ତାଙ୍କ ବିରୋଧରେ କ’ଣ ଅଭିଯୋଗ ଅଛି? ଏବେ ତାଙ୍କୁ କାହିଁକି ରାତାରାତି ବଦଳି କରାଗଲା? ସରକାର କ’ଣ ଜାଣିଶୁ ତାଙ୍କୁ ଡିଜି ପଦରେ ବସାଇଥିଲେ କି ବୋଲି ତାରା ପ୍ରଶ୍ନ କରିଛନ୍ତି।

ଗୁରୁବାର ରାତିରେ ପୋଲିସ ଡିଜି ଦାୟିତ୍ଵରେ ଥିବା ବି କେ ଶର୍ମାଙ୍କୁ ରାଜ୍ୟ ସରକାର ହଟାଇ ଅଭୟଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ରାଜନୀତିରେ ଝଡ଼ ବହୁଛି।

Comment