ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିରରେ କେତେ ସୁନା ଗହଣା ଓ ଅଳଙ୍କାର ଅଛି ତା’ର ଏକ ତାଲିକା ପ୍ରସ୍ତୁତ କରି ମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ହେବ। ଏ ନେଇ ଖୁବ୍ ଶୀଘ୍ର ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ ଯେ, ରତ୍ନ ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଓ ମନ୍ଦିର ପରିଚାଳନା କମିଟିର ଅନୁମତି ଦରକାର।

ମନେ ପକାଇ ଦିଆଯାଇପାରେ ଯେ, ସୁପ୍ରିମକୋର୍ଟ ତାଙ୍କ ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଶ୍ରୀ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇ ଜାନୁଆରି ୨୦୨୦ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ କହିଥିଲେ।

ଭାରତୀୟ ପ୍ରତ୍ନତାତ୍ଵିକ ସଂସ୍ଥା ପକ୍ଷରୁ ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶକ୍ରମେ ପୂର୍ବରୁ ଅବଶ୍ୟ ରତ୍ନ ଭଣ୍ଡାର ଖୋଲିବା ସକାଶେ ଉଦ୍ୟମ ହୋଇଥିଲା। କିନ୍ତୁ ଯେଉଁମାନେ ଭଣ୍ଡାର ଖୋଲିବା ପାଇଁ ଯାଇଥିଲେ ସେମାନେ ଚାବି ନପାଇବା ହେତୁ ଖାଲି ହାତରେ ଫେରିଥିଲେ। ପରେ ଜିଲ୍ଲା ରେକର୍ଡ ରୁମ୍‌ରେ ଏକ ଲଫାଫାରେ ଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଥିଲା।

୧୯୫୨ରେ ଶ୍ରୀମନ୍ଦିର ପରିଚାଳନା ଭାର ସରକାର ହାତକୁ ନେବା ପରେ ମନ୍ଦିର ରତ୍ନ ଭଣ୍ଡାରର ଚାବି ୧୯୭୪ ଓ ୧୯୮୫ରେ ଖୋଲା ଯାଇଥିଲା। ବିଗତ କିଛି ଦିନ ଧରି ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରବଳ ଦାବି ହୋଇ ଆସୁଛି। ୧୯୭୮ରେ ଶେଷ ଥର ପାଇଁ ଜୀଉଙ୍କ ଗହଣାର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା।

Comment