ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକନ୍‌ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରିବା ପରେ ସରକାର ନଇଁଛନ୍ତି। ଯେଉଁ ଚାଷୀମାନଙ୍କ ପାଖରେ ଟୋକନ୍‌ ନଥିବ ସେମାନେ ଧାନ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।

‘‘ଧାନ ଅମଳ ହେବା ପରେ କିଛି ଚାଷୀଙ୍କ ପାଖରେ ଧାନ ରଖିବାକୁ ଜାଗା ନାହିଁ। ଯଦି ସେମାନେ ମଣ୍ଡିକୁ ଧାନ ନେଇକି ଯାଆନ୍ତି ତାହାଲେ ସେମାନଙ୍କ ଧାନ ସରକାର ଗ୍ରହଣ କରିବେ। ଟୋକନ୍‌ ନଥିଲେ ବି ସେମାନଙ୍କ ଧାନ ସରକାର ଗ୍ରହଣ କରିବେ’’, କହିଛନ୍ତି ସୁଶାନ୍ତ ସିଂହ।

ଖରିଫ୍ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଚାଷୀ ଆନ୍ଦୋଳନ ତେଜିଥିଲା। ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର କରିନେବାକୁ ଚାଷୀମାନେ ଦାବି କରିଥିଲେ। ହେଲେ ସରକାର ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର ହେବ ନାହିଁ ବୋଲି କହିଥିଲେ।

ହେଲେ ଚାଷୀ ଆନ୍ଦୋଳନ ଜୋର୍‌ ଧରିବାରୁ ଚାଷୀ ପ୍ରତିନିଧିଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ସମ୍ବଲପୁର ଆସିଥିଲେ। ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଟୋକନ୍‌ ବ୍ୟବସ୍ଥା ସରଳୀକରଣ ହେବ ବୋଲି ମନ୍ତ୍ରୀ କହିଥିଲେ।

Comment