ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ବାଂଲାଦେଶ ମଧ୍ୟରେ କୋଲକତାର ଇଡେନ୍‌-ଗାର୍ଡେନରେ ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଏକ ଐତିହାସିକ ମ୍ୟାଚ। କାରଣ ଭାରତ ପ୍ରଥମଥର ପାଇଁ ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିବ। ଏହି ମ୍ୟାଚ ପିଙ୍କ ବଲ୍‌ରେ ଖେଳାଯିବ। ସେଥିପାଇଁ ଖେଳାଳିଙ୍କ ମନରେ ଅନେକ ଉତ୍ସାହ ରହିଛି।

ଏହି ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ। ପ୍ରଥମ ଟେଷ୍ଟକୁ ଭାରତ ଜିତି ସାରିଛି। ତେବେ ଏହି ମ୍ୟାଚକୁ ଭାରତ ଜିତି କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଥିବା ବେଳେ ବାଂଲାଦେଶ ଟେଷ୍ଟ ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ।

ଇଡେନ୍‌ ଗାର୍ଡେନ୍‌ ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରାଯାଇଥିଲା ବେଳେ ସ୍ପିନରଙ୍କ ପାଇଁ କଷ୍ଟକର ହେବ ବୋଲି ଜଣାପଡ଼ିଛି। ତେବେ ଏହି ଟେ‌ଷ୍ଟ୍‌ ପୂର୍ବରୁ ଗୋଲାପି ବଲ୍‌ ମ୍ୟାଚ୍‌ରେ ଦ୍ରୁତ ବୋଲର ନା ସ୍ପିନର ଅଧିକ ସଫଳତା ପାଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଦିବାରାତ୍ର ତଥା ଗୋଲାପି ବଲ୍‌ ଟେଷ୍ଟରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବେଳେ ଏସିଆରେ ସ୍ପିନର ସବୁଠୁ ସଫଳ ରହିଥିବା ଏକ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।

୧୧ ଦିବାରାତ୍ର ଟେଷ୍ଟରେ ୩୬୬ ୱିକେଟ୍‌ ମଧ୍ୟରୁ ସ୍ପିନରଙ୍କୁ ମିଳିଛି ୯୬। ତେଣୁ ଗୋଲାପି ବଲ୍‌ରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଏଥିରୁ ପ୍ରମାଣିତ ହୋଇଯାଇଛି। ହେଲେ ଏସିଆ ମହାଦେଶରେ ଆୟୋଜିତ ଏଭଳି ଟେଷ୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏସିଆରେ ସ୍ପିନରଙ୍କ ରାଜୁତି ରହିଛି। ଯାହାକି ଏସିଆରେ ମାତ୍ର ଦୁଇଟି ଟେଷ୍ଟ ଖେଳାଯାଇଥିଲା ବେଳେ ସେଥିରେ ପତନ ଘଟିଥିବା ୭୩ ମଧ୍ୟରୁ ସ୍ପିନରଙ୍କୁ ମିଳିଛି ୪୬ ୱିକେଟ୍‌।

Comment